ଆସନ୍ତାକାଲି ରଥଯାତ୍ରା: ସକାଳ ୭ଟାରୁ ପହଣ୍ଡି, ଦିନ ୧୨ଟାରୁ ରଥଟଣା

ପୁରୀ: ଆସନ୍ତାକାଲି ରଥଯାତ୍ରା । ହେଲେ, ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ କି ନାହିଁ, ସେ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା ତାହାକୁ ସୁପ୍ରିମ କୋର୍ଟ ଦୂର କରିବା ପରେ ଏବେ ରଥଯାତ୍ରା ନେଇ ନୀତିକାନ୍ତିର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି । ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବା ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ବୋଲି ସମୟ ନିର୍ଘଣ୍ଟରେ ପ୍ରକାଶ ପାଇଛି । ପ୍ରାତଃ ୩ଘଟିକା ସମୟରେ ମଙ୍ଗଳ ଆରତି କରାଯିବା ସହ ପ୍ରାତଃ ୩ଟା ୧୫ମିନିଟ ସମୟରେ ମଇଲମ ନୀତି ଆରମ୍ଭ ହେବ। ୩ଟା ୩୦ରେ ତଡ଼ପ ଲାଗି କରାଯିବା ସହ ଭୋର ୪ଟାରେ ରୋଷହୋମ, ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ଏବଂ ସକାଳ ୫ଟାରେ ଦ୍ୱାରପାଳ ପୂଜା ସହ ବେଶ ଶେଷ ନୀତି ସମାପ୍ତ ହେବ ।

car festival news

ସେହିଭଳି ୫.୩୦ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ) ହେବ। ୬.୪୫ ରଥ ପ୍ରତିଷ୍ଠା କରାଯିବା ସହ ମଙ୍ଗଳାର୍ପଣ କରାଯିବ । ସକାଳ ୭ଟାରେ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ପହଣ୍ଡି ଶେଷ ହେବ । ୧୦ଟାରୁ ୧୦.୩୦ ମଧ୍ୟରେ ମଦନ ମୋହନ ରଥକୁ ବିଜେ କରିବା ସହ ୧୦.୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି କରାଯିବ । ୧୧ଟାରୁ ୧୧.୩୦ ମଧ୍ୟରେ ତିନି ଠାକୁରଙ୍କ ବେଶ ଶେଷ ହେବା ସହ ୧୧.୩୦ରୁ ଛେରା ପହଁରା ଆରମ୍ଭ ହୋଇ ୧୨.୧୫ ପର୍ଯ୍ୟନ୍ତ ଚାଲିବ। ୧୨.୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା କାମ ଶେଷ ହେବା ସହ ଦିନ ୧୨ଟାରେ ରଥ ଟଣା ଆରମ୍ଭ ହେବ ।

ସୂଚନା ମୁତାବକ, ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ‌ଯେ ଆମେ କେବଳ ପୁରୀ ପାଇଁ କଡ଼ା କଟକଣା ଭିତରେ ରଥଯାତ୍ରା ଲାଗି ଅନୁମତି ଦେଉଛୁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।