କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ରେଟିନା ଅସ୍ତ୍ରୋପଚାର । ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ସୁନେତ୍ର ଯୋଜନାରେ ଚକ୍ଷୁରୋଗୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସାସେବା ବିନା ମୂଲ୍ୟରେ ଯୋଗାଇଦେବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ କ୍ରମେ ସୁନେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଏ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି କ୍ୟାପିଟାଲ ହସ୍ପିଟାଲ ସମେତ ମେଡିକାଲ କଲେଜ ଗୁଡିକ ଯୋଗାଇ ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଓଟିର ମଧ୍ୟ ବ୍ୟବସ୍ଥା କରିଛନ୍ତି ।
ରେଟିନା ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ ହେବାପରେ କ୍ୟାପିଟାଲ ହସ୍ପିଟାଲର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ
ମେହେର୍ଦ୍ଦା ଏଥିପାଇଁ ଦିଲ୍ଲୀ ଏମ୍‍ସକୁ ଯାଇଁ ତାଲିମ ଗ୍ରହଣ କରିଥିଲେ । ଅତ୍ୟାଧୁନିକ ପଦ୍ଧତିରେ କରାଯାଉଥିବା ଏହି ଜଟିଳ ଅସ୍ତ୍ରୋପଚାର ସଂକ୍ରାନ୍ତରେ ଶ୍ରୀମତୀ ମେହେର୍ଦ୍ଦା ତାଲିମ ନେଇ ଆସିବାରେ କ୍ୟାପିଟାଲ ହସ୍ପିଟାଲରେ ଚଳିତ ମାସ ୨୬ ତାରିଖରୁ ଏହା ଆରମ୍ଭ ହୋଇଛି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ଏ ଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି । ଉଲ୍ଲେଖନୀୟ ଯେ ବେସରକାରୀ ସ୍ତରରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ୬୦ରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ବ୍ୟୟ କରିବାକୁ ପଡୁଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ଏହା ସମ୍ପୂର୍ଣ୍ଣ ମାଗଣାରେ
କରାଯାଉଛି । ଏଥିସହିତ ଦୈନିକ ପ୍ରାୟ ୧୦ ରୁ ୧୫ଜଣ ରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିବା ଡାକ୍ତର
ମେହେର୍ଦ୍ଦା ସୂଚନା ଦେଇଛନ୍ତି । ସମସ୍ତ ଚକ୍ଷୁ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଉଥିବାବେଳେ ମଧୁମେହରେ ଆକ୍ରାନ୍ତ
ହୋଇ ଚକ୍ଷୁରେ ଗ୍ଲୁକୋମା ସମସ୍ୟା ଭୋଗୁଥିବା ରୋଗୀଙ୍କୁ ମଧ୍ୟ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି । ଗୋଟିଏ ଇଞ୍ଜେକସନର ମୂଲ୍ୟ ଖୋଲା ବଜାରରେ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡୁଛି। କ୍ୟାପିଟାଲ ହସ୍ପିଟାଲରେ ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ବ୍ୟୟବହୁଳ ରେଟିନା ଅସ୍ତ୍ରୋପଚାର ରାଜ୍ୟର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ବୋଲି ଜଣାଯାଇଛି ।