ଜମ୍ମୁ-କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ଠାବ ହେଲା ସୁଡଙ୍ଗ

ଶ୍ରୀନଗର: ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ବିଏସଏଫ ଦ୍ୱାରା ପଣ୍ଡ କରାଯାଇଛି । ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ବାନ ଗ୍ଲେଡ ଗ୍ରାମରେ ଏକ ସୁଡଙ୍ଗ ଠାବ ହୋଇଛି । ଯାହାର ଗୋଟିଏ ପ୍ରାନ୍ତ ଭାରତରେ ଥିବାବେଳେ ଅନ୍ୟଟି ପାକିସ୍ତାନ ଆଡକୁ ରହିଛି । ଏହି ସୁଡଙ୍ଗର ଲମ୍ବ ପ୍ରାୟ ୨୦ ଫୁଟ ଲମ୍ବ ୩-୪ ଫୁଟ ବ୍ୟାସ ରହିଛି । ସୁଡଙ୍ଗ ଖୋଲିବାର ସ୍ଥାନ ଅନ୍ତର୍ଜାତୀୟ ସୀମା ଠାରୁ ଭାରତୀୟ ଆଡକୁ ପ୍ରାୟ ୧୭୦ ମିଟର ରହିଛି । ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ସୀମାରେ ସୁଡଙ୍ଗ ଠାବ ହେବା ମାତ୍ରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ କରାଯାଉଛି । ବିଏସଏଫ ଆଇଜି ଏନଏସ ଜାମୱାଲଙ୍କ ଅନୁଯାୟୀ, ସାମ୍ବା ସେକ୍ଟରରେ ଏହି ସୁଡଙ୍ଗ ଥିବା ତାଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ବହୁ ଅନୁସନ୍ଧାନ ପରେ ଶୁକ୍ରବାର ଏହି ସୁଡଙ୍ଗ ଠାବ ହୋଇଛି।

ସୁଡଙ୍ଗକୁ ବାଲି ଚଟାଣରେ ଭରି ଏହାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ଏଥିରେ ବ୍ୟବହୃତ ହୋଇଥିବା ଅଖାଗୁଡ଼ିକ ପାକିସ୍ତାନରେ ନିର୍ମିତ ହୋଇଥିବା ଜଣାପଡିଛି । ଯାହା ଦର୍ଶାଉଛି ଯେ ଏହା ପାକିସ୍ତାନର ଏକ ଯୋଜନା ଏବଂ ଏହାକୁ ଇଞ୍ଜିନିୟରଙ୍କ ସାହାଯ୍ୟରେ ନିର୍ମାଣ କରାଯାଇଛି ।

ବିଏସଏଫ ଅଧିକାରୀଙ୍କ ଅନୁଯାୟୀ ପାକିସ୍ତାନୀ ରେଞ୍ଜର୍ସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତା ବିନା କୌଣସି ଅନୁପ୍ରବେଶକାରୀ ଏତେ ବଡ଼ ସୁଡଙ୍ଗ ନିର୍ମାଣ କରିପାରିବେ ନାହିଁ। ଏହା ଦର୍ଶାଉଛି ଯେ ପାକିସ୍ତାନ ଏଥିରେ ସମ୍ପୃକ୍ତ ଅଛି। ବିଏସଏଫ ପାକିସ୍ତାନୀ ରେଞ୍ଜର୍ସଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବ । ଯାହା ଦ୍ୱାରା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବିଏସଏଫ ଜେସିବି ସାହାଯ୍ୟରେ ଏହି ସୁଡଙ୍ଗ ଖୋଳୁଛି । ଏହା ସହିତ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଉଛି ବୋଲି ବିଏସଏଫ ଅଧିକାରୀ କହିଛନ୍ତି ।