ଆସିଲା ଆସ୍ୱସ୍ତି, ଜେଲରେ କ୍ୟାମ୍ପକୋର୍ଟ ପ୍ରଥମ ଦିନରେ ମୁକୁଳିଲେ ୩୫୦ ବିଚାରଧୀନ ବନ୍ଦୀ

ଭୁବନେଶ୍ୱର : ଛୋଟ ଛୋଟ ଅପରାଧରେ ଅଭିଯୁକ୍ତ ହୋଇ ଜେଲରେ ବିଚରାଧୀନ ବନ୍ଦୀ ଥିବା ଅଭିଯୁକ୍ତଙ୍କୁ ଆସ୍ୱସ୍ତି ମିଳିଛି । ଜେଲରେ କ୍ୟାମ୍ପକୋର୍ଟ ଆରମ୍ଭ ହେବାଯୋଗୁ ପ୍ରଥମ ଦିନରେ ଜେଲରୁ ବେଲ ପାଇଛନ୍ତି ୩୫୦ରୁ ଅଧିକ ବିଚରାଧୀନ ବନ୍ଦୀ ବା କଏଦୀ ।
ରାଜ୍ୟବାପୀ ଚାଲିଥିବା ଓକିଲ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପକୋର୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ହିଁ ପ୍ରାୟ ୩୫୦ ଜଣ କଏଦୀ ମୁକ୍ତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୫୭ ଜଣଙ୍କୁ ଜାମିନ ମିଳିଛି । ସେହିପରି ଚୌଦ୍ୱାର ଜେଲରେ ୫୬ ଜଣଙ୍କୁ ଜାମିନ ମିଳିଥିବାବେଳେ ୨୬ ଜଣ ବନ୍ଦୀ ହୋଇଛନ୍ତି । ଅନ୍ୟପକ୍ଷରେ କରଞ୍ଜିଆ ଜେଲରୁ ୨୯, ବଡ଼ବିଲରେ ୯ ଓ ରାଇରଙ୍ଗପୁରରେ ୭ ଜଣ, ଜଗତସିଂପୁରରେ ୮, ଆନନ୍ଦପୁରରେ ୪, ଚମ୍ପୁଆରେ ୪ ଜଣ ବନ୍ଦୀ ମୁକ୍ତ ହୋଇଛନ୍ତି । ଏହା ସହ ଅନ୍ୟ କେତେକ ଜେଲରୁ ମଧ୍ୟ ମୁକୁଳିଛନ୍ତି କଏଦୀ ।
ସୁଚନାଯୋଗ୍ୟ ଯେ ରାଜ୍ୟରେ ଚାଲିଥିବା ହାଇକୋର୍ଟ ବାର ଆସୋସିଏସନ ଓ ଜିଲ୍ଲା ବାର ମାନଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ଯୋଗୁଁ ରାଜ୍ୟର ଜେଲଗୁଡ଼ିକରେ କଏଦୀସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜେଲ ପରିସରରେ କ୍ୟାମ୍ପ କୋର୍ଟ ଆୟୋଜନ କରି ବନ୍ଦୀମାନଙ୍କର ଫଇସଲା କରିବା ପାଇଁ ଜିଲ୍ଲା ଓ ଦୌରା ଜଜଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।