ଜେଲରେ ହେବ କ୍ୟାମ୍ପକୋର୍ଟ : ହାଇକୋଟ

କଟକ : ଜେଲ୍ରେ କ୍ୟାମ୍ପ୍ କୋର୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ସବୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘଦିନ ଧରି ଲାଗି ରହିଥିବାରୁ କଏଦୀମାନେ ଜେଲରୁ ମୁକୁଳି ପାରୁନାହାଁନ୍ତି । ରାଜ୍ୟର ବିଭିନ୍ନ ଜେଲରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେତେକ ଜେଲ୍ରେ କଏଦୀଙ୍କୁ ରଖିବା ପାଇଁ ସ୍ଥାନାଭାବ ଦେଖା ଦେଇଛି । ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ଓ ସେସନ କୋର୍ଟକୁ କ୍ୟାମ୍ପ କୋର୍ଟ କରିବା ପାଇଁ ହାଇକୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶକୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତକୁ ଅବଗତ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେଣୁ ଆଗାମୀ ଦିନରେ ଏପରି ସ୍ଥିତି ଉପୁଜିଲେ ସମସ୍ତ ଜେଲ୍ରେ କ୍ୟାମ୍ପ୍ କୋର୍ଟ ଆୟୋଜିତ ହେବ । ଏହି ଅସ୍ଥାୟୀ କ୍ୟାମ୍ପ କୋର୍ଟର ମାଜିଷ୍ଟ୍ରେଟ୍ କେବଳ ଜାମିନ ପ୍ରଦାନ ଉପରେ ଶୁଣାଣି କରିବେ । ଜାମିନ ପ୍ରଦାନ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ । ଏଥିସହ ଅସ୍ଥାୟୀ କ୍ୟାମ୍ପ କୋର୍ଟ କିପରି ପରିଚାଳନା କରାଯିବ ସେ ଦିଗରେ ମଧ୍ୟ ସ୍ପଷ୍ଟ କରାଯାଇଛି । ହାଇାକୋର୍ଟଙ୍କ ଏହି ରାୟ ସମ୍ପର୍କରେ ରେଜିଷ୍ଟ୍ରାର୍ଙ୍କ ଅଫିସ୍କୁ ସୂଚନା ଦିଆଯାଇଛି । କୌଣସି ମାମଲାର ଶୁଣାଣି ପୂର୍ବରୁ ସଂପୃକ୍ତ କୋର୍ଟର କିରାଣୀ ରେକର୍ଡପତ୍ର ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ହସ୍ତାନ୍ତର କରିବେ । କ୍ୟାମ୍ପ୍ କୋର୍ଟରେ ଏହି ମାମଲାର ଶୁଣାଣିବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନିଯୁକ୍ତ ଜେଲ୍ ପାରା ଲିଗାଲ୍ ସ୍ୱେଛାସେବୀ ମଧ୍ୟ ଉପସ୍ଥିତ ରହିବେ । ମାମଲାର ଶୁଣାଣିବେଳେ ସଂପୃକ୍ତ ଜେଲ୍ ଅଧୀକ୍ଷକ କିମ୍ବା ଉପ ଅଧୀକ୍ଷକ କଏଦୀଙ୍କ ପରିଚୟ ଦେବେ । ଶୁଣାଣି ବେଳେ ଅଭିଯୁକ୍ତଙ୍କୁ କ୍ୟାମ୍ପ୍ କୋର୍ଟରେ ହାଜର କରାଯିବ । ତାଙ୍କୁ ପିଆର୍ ବଣ୍ଡ୍ରେ ଛଡ଼ାଯିବା ସହ ନିୟମିତ ଜାମିନ ଆବେଦନ କରିବାକୁ କୁହାଯିବ ।