ହୃଦ୍ଘାତରେ ଚାଲିଗଲେ ପୋଲିସ, ଦୁଃଖରେ ଖାଇବା ଛାଡିଦେଲା ଓଟ

ଅହମ୍ମଦାବାଦ: ପଶୁ ଓ ମନୁଷ୍ୟ ମଧ୍ୟରେ ଥାଏ ନିବିଡ ସମ୍ପର୍କ । ଯାହାର ପ୍ରମାଣ ବହୁ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ସୀମାନ୍ତ ଜିଲ୍ଲା କଚ୍‌ ଅନ୍ତର୍ଗତ ପିଙ୍ଗ୍‌ଲେଶ୍ୱର ଠାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ହୃଦ୍‌ଘାତରେ ଶିବରାଜ ଗାଧ୍‌ଓ୍ଵି ନାମକ ଜଣେ ସହକାରୀ ସବ୍‌ଇନ୍ସପେକ୍ଟର୍‌ଙ୍କର ମୃତ୍ୟୁ ହେବାରୁ ଝାକାଉ ଥାନାର ଗୋଟାଏ ଓଟ ଖାଇବା ପିଇବା ଛାଡ଼ି ଦେଇଛି। ଶିିବରାଜ ଥିଲେ ତା’ର ତତ୍ତ୍ୱାବଧାରକ। ଝାକାଉ ସାମୁଦ୍ରିକ ଥାନାର ଇନ୍‌ସ୍‌ପେକ୍ଟର୍‌ ଭି କେ ଖାନ୍ତ କହନ୍ତି କଚ୍‌ର ନାଲିୟା ନିକଟବର୍ତ୍ତୀ ସିଂଘୋଡ଼ି ଗାଁରେ ଗାଧ୍‌ଓ୍ଵିଙ୍କ ଘର। ଦୀର୍ଘ ଦିନ ଧରି ସେ ଝାକାଉ ଥାନାରେ ଥିଲେ। ଓଟ ଚଢ଼ି ସେ ନିୟମିତ ପାଟ୍ରୋଲିଙ୍ଗ୍‌ରେ ଯାଆନ୍ତି। ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିବା ଗାଧଓ୍ଵିଙ୍କୁ ଜାନୁଆରି ୨୪ ତାରିଖ ଦିନ ପାଟ୍ରୋଲିଙ୍ଗ୍‌ ଦାୟିତ୍ୱ ଦିଆଯାଇଥିଲା। ସକାଳ ୯:୩୦ରେ ଓଟ ସହ ସମ୍ପୃକ୍ତ ଅଞ୍ଚଳକୁ ଯାଇ ପ୍ରଥମେ ତାକୁ ଖୁଆଇ ଥିଲେ। ତା’ପରେ ହଠାତ୍‌ ଗାଧ୍‌ଓ୍ଵି ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ କୋଠାରା ନିଆଯାଇଥିଲା, କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁଜ୍‌ ନେଇଯିବାକୁ ଡାକ୍ତରମାନେ ତାଙ୍କ ସହକର୍ମୀଙ୍କୁ କହିଥିଲେ। ବାଟରେ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍‌ସ୍‌ ବାଟରେ ଥିବା ଏକ ଘରୋଇ ଡାକ୍ତରଖାନା ଆଗରେ ଅଟକିଥିଲା। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।