ଉଦ୍ଧାର ହେଲା ‘କାଫେ କଫି ଡେ’ର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ

ବେଙ୍ଗାଲୁରୁ: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ଆଜି କର୍ଣ୍ଣାଟକାର ମେଙ୍ଗାଲୁରୁ ସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ ୬ଟା ୩୦ରେ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ବ୍ୟବସାୟରେ କ୍ଷତି ହେଉଥିବା ବେଳେ ବାରମ୍ୱାର ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢ଼ଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡ଼ିଛି। ଏହି ଚିଠି ସିଦ୍ଧାର୍ଥ ତାଙ୍କ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

ନେତ୍ରବତୀ ବ୍ରିଜ୍‌ରୁ ସିଦ୍ଧାର୍ଥ ନିଖୋଜ ହୋଇଥିବାରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରଥମରୁ ସନ୍ଦେହ କରିଥିଲା। ଏହାପରେ ଉଭୟ ପୁଲିସ୍‌ ଏବଂ ତଟରକ୍ଷା ବାହିନୀ କର୍ମଚାରୀଙ୍କ ଉଦ୍ୟମରେ ନେତ୍ରବାଦୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ନେଇ ଦକ୍ଷିଣ କନ୍ନଡର ଡେପୁଟି କମିଶନର ଶଶିକାନ୍ତ ସେନଥିଲ କହିଛନ୍ତି।

ସିଦ୍ଧାର୍ଥଙ୍କ ଡ୍ରାଇଭର ବସ୍‌ଭରାଜ ପାଟିଲ କହିଛନ୍ତି, ସୋମବାର ସେ (ସିଦ୍ଧାର୍ଥ) ମେଙ୍ଗାଲୁରୁ ଆସିଥିଲେ। ଏହାପରେ ସେ ନେତ୍ରବତୀ ବ୍ରିଜ୍‌ର ଶେଷ ମୁଣ୍ଡକୁ ଗାଡ଼ି ନେବାକୁ କହିଥିଲେ। କାର୍ ସେଠାରେ ପହଞ୍ଚିବା ପରେ ସେ ଓହ୍ଲାଇଥିଲେ। କିନ୍ତୁ କିଛି ସମୟ ପରେ ଆଉ ତାଙ୍କ ଦେଖା ମିଳି ନଥିଲା।”