କଟକ: ଓଡ଼ିଶାରେ ଇତିହାସ ରଚିଲା କଟକସ୍ଥିତ ଏସସିବି ମେଡିକାଲ କଲେଜ । ପ୍ରଥମ କରି ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ଅନ୍ୟ ଜଣେ ରୋଗୀଙ୍କ ଶରୀରେ ପ୍ରତିରୋପଣ କରାଯାଇଛି । କିଡନୀ ହରାଇଥିବା ଜଣେ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଇଛି । ଏହି ପ୍ରତିରେୋପଣ ଓଡ଼ିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।
ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ ‘କାଡାଭେରିକ୍ ଟ୍ରାନ୍ସପ୍ଲାଂଟ’ କୁହାଯାଇଥାଏ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସଦ୍ୟମୃତ ଘୋଷିତ ଜଣେ ଯୁବତୀଙ୍କ କିଡନୀକୁ କଢ଼ାଯାଇ ତାହାକୁ ଏସସିବିକୁ ଆଣି ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଏହି ପ୍ରତିରୋପଣ ହୋଇଛି। ଆଜି ସକାଳ ୮.୩୦ ପାଖାପାଖି ଏହି କ୍ଲୀଷ୍ଟ ଚିକିତ୍ସା ପ୍ରକ୍ରିୟା ‘କାଡାଭେରିକ୍ ଟ୍ରାନ୍ସପ୍ଲାଂଟ’ ସଂପୂର୍ଣ୍ଣ ହୋଇଛି।
ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମ୍ନୀ ୨୨ ବର୍ଷୀୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଜାଣିବା ପରେ ଜଣେ କିଡନୀ ହରାଇଥିବା ରୋଗୀଙ୍କୁ ବଂଚାଇବାକୁ ପଦକ୍ଷେପ ନିଆଯାଇଥିଲେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ।
ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ବ୍ରେନଡେଡ୍ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ରୋଗୀଙ୍କ କିଡନୀ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କଠାରେ ଲାଗିବା ନିଷ୍ପତି ହେବା ପରେ ଏଥିଲାଗି ସ୍ବାସ୍ଥ୍ୟ ବିଭାଗର ଡିଏମଇଟି ଓ ଯୁଗ୍ମ-ଡିଏମଇଟିଙ୍କ ଅନୁମତି ଆବଶ୍ୟକ ପଡ଼ୁଥିବାରୁ ଜରୁରୀକାଳୀନ ଭାବେ ସେଥିଲାଗି ଆବେଦନ କରାଯାଇଥିଲା। ଏସସିବିର କାଡାଭେରିକ୍ ଟ୍ରାନ୍ସପ୍ଲାଂଟ ସେଂଟର ର ନୋଡାଲ ଅଫିସର ତଥା ନେଫ୍ରୋଲୋଜି ବିଭାଗର ପ୍ରଫେସର ଡା. ଚିତରଞ୍ଜନ କରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ରାତି ପ୍ରାୟ ୩.୩୦ ମିନିଟରେ ପ୍ରତିରୋପଣ ଲାଗି ସରକାରୀ ଅନୁମତି ମିଳିବା ପରେ ସକାଳ ୫.୧୫ ମିନିଟରେ ଅପରେସନ୍ ଆରମ୍ଭ ହୋଇଥିଲା। ୟୁରୋଲୋଜି ବିଭାଗର ପ୍ରଫେସର ଡା.ଦତେଶ୍ୱର ହୋତାଙ୍କ ଅଧିନରେ ଭେଗଠିତ ଏକ ୫ ଜଣିଆ ଡାକ୍ତରୀ ଟିମ୍ ପ୍ରତିରୋପଣ ଲାଗି ଅପରେସନ୍ କରିଥିଲେ। ଦୀର୍ଘ ସାଢ଼େତିନି ଘଂଟାରେ ଅପରେସନ୍ ପରେ କିଡନୀ ପ୍ରତିରୋପଣ ଶେଷ ହୋଇଥିଲା। ଏହି ବିରଳ ଅସ୍ତ୍ରୋପଚାର ଏସସିବି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି।
ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଂଟ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତି ନେଇଛନ୍ତି । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଂଟ ଆଜି ସଂପନ୍ନ ହୋଇଛି।