ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ରାତି ୭ଟା ୪୫ରୁ ୮ଟା ମଧ୍ୟରେ ବସିବାକୁ ଥିବା ଏହି ବୈଠକରେ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେନେଇ ଏହି ବୈଠକରେ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।ଆସନ୍ତା ୨୩ ତାରିଖରେ ରଥଯାତ୍ରା ଥିବାରୁ ସରକାରଙ୍କ ହାତରେ ଆଉ କମ୍ ସମୟ ରହିଛି। ରଥଯାତ୍ରା ନେଇ ଅନିଶ୍ଚିତତା ଲାଗି ରହିଛି। ଗୋଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ରଥଯାତ୍ରା ପାଇଁ ପ୍ରସ୍ତୁତ ଥିବା ବେଳେ କରୋନା କଟକଣାକୁ ନେଇ ସରକାର ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହାରି ଭିତରେ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି।ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। କୋର୍ଟଙ୍କ ରାୟ ଯାହା ଆସିବ, ସେ ସଂପର୍କରେ  ସନ୍ଧ୍ୟାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଆଲୋଚନା ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।