ଆଜି ଜମ୍ମୁକାଶ୍ମୀରକୁ ନେଇ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: କାଶ୍ମୀରରୁ ଅନୁଛେଦ ୩୭୦ ହଟାଇବା ପରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବାକୁ ଯାଉଛି | କୁହାଯାଉଛି ଜମ୍ମୁକାଶ୍ମୀରରେ ସ୍ଥିତି ସାମାନ୍ୟ କରିବାକୁ ଏହି ବୈଠକରେ ଆଲୋଚନା ହୋଇପାରେ | କିଭଳି ସ୍ଥିତି ସାମାନ୍ୟ କରାଯିବ ଓ ଜାମ୍ମୁ କାଶ୍ମୀରର ବିକାଶ କରାଯାଇପାରିବ ସେଥିପାଇଁ କିଛି ବଡ ପ୍ୟାକେଜ ମଧ୍ୟ ଘୋଷଣା ହୋଇପାରେ | କ୍ୟାବିନେଟ ବୈଠକରେ ଜାମ୍ମୁ କାଶ୍ମୀରର ଆର୍ଥିକ ବିକାଶ ମାଧ୍ୟମରେ ସ୍ଥିରତା ଆଣିବାକୁ ସରକାର ଯୋଜନା କରିପାରନ୍ତି |

ଏହା ଛଡା ଜାମ୍ମୁ କାଶ୍ମୀରରେ ନୂଆ ପ୍ରକଳ୍ପ ପରିଯୋଜନା ମାଧ୍ୟମରେ ରାଜ୍ୟର ଯୁବ ବର୍ଗଙ୍କୁ ରୋଜଗାର ଦେବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇପାରେ | ସରକାର ରୋଜଗାର ଓ ଭିତ୍ତିଭୂମି ନିର୍ମାଣ କରି ନୂଆ ଜାମ୍ମୁ କାଶ୍ମୀରର ଅୟମାରମ୍ଭ କରିବାକୁ ଚାଁହୁଥିବାରୁ ଆଜିର କ୍ୟାବିନେଟ ବୈଠକ ବହୁ ଗୁରୁତ୍ୱ ରଖୁଛି |

ବିଶେଷ କରି କେନ୍ଦ୍ର ସରକାରଙ୍କ ପ୍ରତିନିଧି ମଣ୍ଡଳ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସେଠାରେ କଣ ସବୁ ବିକାଶ କରାଯାଇପାରିବ ସେ ବାବଦରେ ଅନୁଧ୍ୟାନ କରୁଛନ୍ତି | ଯାହାକୁ ନେଇ କେନ୍ଦ୍ର ସରକାର କିଛି ନୂଆ ଘୋଷଣା କରିବେ ବୋଲି ଆଶା କରାଯାଉଛି |