ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୧ରେ ଭାରତର ଜନଗଣନା ହେବ । ଏସସିବିସି(ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ)ଙ୍କ ଗଣନା କରିବାକୁ ବୈଠକରେ ନିଷ୍ପତି ହୋଇଛି ।
ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଜାତିଭିତିକ ଜନଗଣନା ପାଇଁ ଓଡ଼ିଶା କ୍ୟାବିନେଟର ପ୍ରସ୍ତାବ ସଂପର୍କିତ ଆଲୋଚନା ହୋଇଛି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ ପାଇଁ ସ୍ୱତନ୍ତ୍ର ଜନଗଣନା ହେଉ। ୨୦୨୧ ଗଣନାରେ ଜାତିଭିତିକ ଗଣନା ପାଇଁ ବ୍ୟବସ୍ଥା ରହିବା ଉଚିତ ବୋଲି କ୍ୟାବିନେଟରେ ଆଲୋଚନା ହୋଇଛି। ଜନଗଣନା ସମୟରେ ଏଥି ପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ୍ ଯୋଡ଼ା ହେବ। ଆର୍ଥିକ, ଶିକ୍ଷାଗତ ଓ ଜାତିଗତ ପଛୁଆ ବର୍ଗ ଆଧାରରେ ଏହି ଗଣନା ହେବ। ଏଭଳି ଜନଗଣନା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାଙ୍କ ପାଖରେ ଦାବି ରଖିବେ।