ପ୍ରଥମ ଦିନରେ କୃଷକମାନଙ୍କୁ ଭେଟି ଦେଲେ ମୋଦି

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୃଷି ଉପରେ ଆସନ୍ତା ୫ ବର୍ଷ ବିଶେଷ ଗୁରୁତ୍ୱ ଦିଆଯିବ ।

ପ୍ରଧାନମନ୍ତ୍ରୀ କିଷାନ ସ୍କିମକୁ ସବୁ କୃଷକଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍କିମ ଅଧିନରେ ପ୍ରତି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ମିଳିବ । ଏହି ସ୍କିମ ଦ୍ୱାରା ପ୍ରାୟ ୧୪.୫ କୋଟି କୃଷକ ଉପକୃତ ହେବେ । ଏହା ସହିତ ଏକ ନୂଆ କେନ୍ଦ୍ରୀୟ ସ୍କିମ ପ୍ରଧାନମନ୍ତ୍ରୀ କୃଷକ ପେନସନ ଯୋଜନା ଆରମ୍ଭ କରାଯାଇଛି । ଏହି ସ୍କିମରେ କୃଷକ ଯେତିକି ପରିମାଣରେ ନିଜ ପେନସନ ସ୍କିମରେ ରଖିବ ସେତିକି ପରିମାଣରେ ଅର୍ଥ ସରକାର ପ୍ରଦାନ କରିବେ ।
ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ସ୍କିମରେ ସହିଦ ହୋଇଥିବା ରାଜ୍ୟ ପୁଲିସ କର୍ମଚାରୀଙ୍କ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହା ବ୍ୟତୀତ କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନା ମଧ୍ୟ ଘୋଷଣା କରାଯାଇଛି। ଏହାକୁ ମଧ୍ୟ ବିଜେପି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ପେନସନ ଯୋଜନା ଆଧାରରେ ୧୮ ରୁ ୪୦ ବର୍ଷ ବୟସର ଲୋକଙ୍କୁ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩ ହଜାର ଟଙ୍କା ପେନସନ ମିଳିବ। ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ ରହିଛି। ପେନସନ ଯୋଜନା ଆଧାରରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମାସିକ ୫୫ ଟଙ୍କା ପ୍ରିମିୟର ରୂପେ ଦେବାକୁ ପଡ଼ିବ। ବୟସ ହିସାବରେ ଯୋଗଦାନ ରାଶି ବଢିବ। କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ ଏହି ଯୋଜନାରେ କୃଷକ, ଛୋଟ ବ୍ୟବସାୟୀଙ୍କ ଜୀବନସ୍ତରରେ ସୁଧାର ଆସିବ ଏବଂ ସାମାଜିକ ସୁରକ୍ଷା ମିଳିବ। ପେନସନ ଯୋଜନାରେ ୧୨ ରୁ ୧୩ କୋଟି ଲୋକ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ୫ କୋଟି ଲୋକଙ୍କୁ ସାମିଲ କରାଯିବ।