ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ବିରୋଧ: ଦିଲ୍ଲୀ, ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ବିରୋଧ କରି ଦେଶବ୍ୟାପି ହିଂସା ଲାଗୁ ରହିଥିବାବେଳେ ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି ।

ଆଜି ଉତରପୂର୍ବ ଦିଲ୍ଲୀ ରେ ଧାରା ୧୪୪ ଜାରି ହୋଇଛି।  କୌଣସି ବି ସ୍ଥାନରେ ୪ ଜଣରୁ ଅଧିକ ଲୋକ ସମବେତ ହୋଇପାରିବେ ନାହିଁ । ହିଂସା ଓ ଆନ୍ଦୋଳନ ସଂକ୍ରାନ୍ତ ସ୍ଥିତି ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଡ୍ରୋନ୍‌ ମୁତୟନ କରିଛି। ଅନ୍ୟପକ୍ଷେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ସିଏଏକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଛନ୍ତି ପୂର୍ବତନ ଜେଏନ୍‌ୟୁ ଛାତ୍ର ନେତା କହ୍ନେୟା କୁମାର। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ର ଗେଟ୍‌ ନମ୍ବର ୭ରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ନେଇ କହ୍ନେୟା କହିଛନ୍ତି, ସିଏଏ ଅପେକ୍ଷା ଏନ୍ଆରସି ଅଧିକ ବିପଜ୍ଜନକ ଏବଂ ଏହାକୁ ପ୍ରତ୍ୟେକ ସ୍ତରରେ ବିରୋଧ କରାଯିବା ଦରକାର। କିନ୍ତୁ ଆନ୍ଦୋଳନ ପାଇଁ ଶାନ୍ତିର ରାସ୍ତାକୁ ଭଙ୍ଗ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏମ୍‌ଏନଏମ୍‌ ମୁଖ୍ୟ କମଲ ହାସନ୍‌ ଆଜି ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ଏବଂ ସିଏଏ ବିରୋଧରେ ସେ ଆନ୍ଦୋଳନରତ ଛାତ୍ରଙ୍କୁ ସମର୍ଥନ କରିଛନ୍ତି। ଛାତ୍ରଛାତ୍ରୀମା‌‌ନେ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରଖିବାପାଇଁ କମଲ ହାସନ୍‌ କହିଛନ୍ତି। କମଲଙ୍କୁ ଆଜି ବିଶ୍ୱବିଦ୍ୟାଳୟ କୁ ପ୍ରବେଶ କରିବା ଅନୁମତି ମିଳିନଥିଲା। ହାସନ୍‌ ଗେଟ୍‌ ବାହାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ।

ଏହା ବ୍ୟତୀତ ବେଙ୍ଗାଲୁରୁରେ ମଧ୍ୟ ତିନି ଦିନ ଲାଗି ଧାରା ୧୪୪ ଲାଗୁ କରି ଦିଆଯାଇଛି । ସହରର ସିଟି ପୋଲିସ କମିଶନର ଡ. ପିଏସ ହର୍ଷ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ଓ ଏନଆରସି ବିରୋଧରେ ଦେଶବ୍ୟାପୀ ହେଉଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଏହି ଆଧାରରେ ଡିସେମ୍ବର ୧୮ ରାତି ୯ଟାରୁ ଡିସେମ୍ବର ୨୦ ରାତି ୧୨ଟା ଯାଏଁ ଧାରା ୧୪୪ ଲାଗୁ ରହିବ ।