ନାଗରିକତା (ସଂଶୋଧନ) ଆଇନ, ୨୦୧୯ ବିଷୟରେ ବିସ୍ତୃତ ସୂଚନା

୧. ନାଗରିକତା ଆଇନ, ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି । ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ (ଧାରା ୫), ନାଗରିକତା ଗ୍ରହଣ ଆଧାରରେ (ଧାରା ୬) କିମ୍ବା କୌଣସି ଭୂଖଣ୍ଡ ସାମିଲ ହେବା ଆଧାରରେ (ଧାରା ୭) ଗ୍ରହଣ କରାଯାଇପାରିବ । ଯେକୌଣସି ବିଦେଶୀ ନିଜ ରାଷ୍ଟ୍ର ଓ ସମୁଦାୟ ନିର୍ବିଶେଷରେ ପଞ୍ଜିକରଣ କିମ୍ବା ନାଗରିକତା ଗ୍ରହଣ ଆଧାରରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିପାରିବେ ।
୨. ନାଗରିକତା (ସଂଶୋଧନ) ଆଇନ (ସିଏଏ), ୨୦୧୯ ଜରିଆରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ । ତେବେ ଜାତି, ଧର୍ମ, ବର୍ଣ୍ଣ, ବର୍ଗ ଆଦି ଆଧାରରେ କୌଣସି ବିଦେଶୀଙ୍କୁ ପଞ୍ଜିକରଣ ଅଥବା ନାଗରିକତା ଗ୍ରହଣ ଜରିଆରେ ଭାରତୀୟ ନାଗରିକ ହେବା ଲାଗି ଆବେଦନ କରିବା ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ସଂଶୋଧନ କରାଯାଇନାହିଁ । ସର୍ବନିମ୍ନ ଆଇନଗତ ଆବଶ୍ୟକତା ପୂରଣ କରିବା ପରେ ଏପରି ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ ପାଇଁ ଆବେଦନ କରିପାରିବେ ।
୩. ସିଏଏ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ । ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଦିଷ୍ଟ ।
୪. ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୨୮୩୦ ପାକିସ୍ତାନୀ, ୯୧୨ ଆଫଗାନୀ ଓ ୧୭୨ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି । ଏମାନଙ୍କ ମଧ୍ୟରୁ ଶତାଧିକ ଏହି ତିନୋଟି ଦେଶର ସଂଖ୍ୟାଗରିଷ୍ଠ ସମୁଦାୟରୁ ଆସିଛନ୍ତି । ଏପରି ଶରଣାର୍ଥୀଙ୍କୁ ଆଗକୁ ମଧ୍ୟ ଭାରତୀୟ ନାଗରିକତା ମିଳିବ ଏବଂ ପଞ୍ଜିକରଣ ଓ ନାଗରିକତା ଗ୍ରହଣ ଲାଗି ଆଇନରେ ରହିଥିବା ଯୋଗ୍ୟତା ସର୍ତାବଳୀ ପୂରଣ କରୁଥିଲେ ସେମାନଙ୍କୁ ନାଗରିକତା ମିଳିବାରେ କୌଣସି ଅସୁବିଧା ନାହିଁ । ୨୦୧୪ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ଚୁକ୍ତି ହୋଇଥିଲା । ଏହାପରେ ୫୦ଟି ବାଂଲାଦେଶୀ କ୍ଷେତ୍ର ଭାରତୀୟ ଭୂଖଣ୍ଡରେ ସାମିଲ ହେଲା ଏବଂ ପାଖାପାଖି ୧୪, ୮୬୪ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି ।
୫. ୨୦୧୬ ପରଠାରୁ ନାଗରିକତା (ସଂଶୋଧନ) ବିଧେୟକକୁ ସର୍ବସମ୍ମୁଖରେ ରଖାଯାଇଛି । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ୩୦ ଜଣିଆ ସଂସଦୀୟ କମିଟି ଏହାକୁ ମଞ୍ଜୁରି ଦେଇଛି । ବର୍ତମାନର ଆଇନ ସମ୍ପୂର୍ଣ୍ଣ ଭାବେ ଏହି ବିଧେୟକ ଉପରେ ଆଧାରିତ ।
୬. ୨୦୧୫-୧୬ରେ ଭାରତ ସରକାର କେତେକ ନିୟମରେ ସଂଶୋଧନ ଆଣିଥିଲେ । ଏହା ଜରିଆରେ ୨୦୧୪ ଡିସେମ୍ବର ସୁଦ୍ଧା ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ନିର୍ଦ୍ଦିଷ୍ଟ ୩ଟି ଦେଶର ୬ଟି ସଂଖ୍ୟାଲଘୁ ସମୁଦାୟଙ୍କ ଭାରତରେ ପ୍ରବେଶ ଓ ରହଣିକୁ ଆଇନଗତ ମାନ୍ୟତା ଦିଆଯାଇଛି । ଭାରତ ସରକାର ଏପରି ଶରଣାର୍ଥୀଙ୍କୁ ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଲାଗି ଦୀର୍ଘ ଅବଧି ଭିସା (ଏଲଟିଭି) ଜାରି କରିବା ନିମନ୍ତେ ମଧ୍ୟ ଯୋଗ୍ୟ ବିବେଚିତ କରିସାରିଛନ୍ତି । ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଏହି ତିନୋଟି ଦେଶରୁ ଦେଶାନ୍ତରିତ ହୋଇଥିବା ଶରଣାର୍ଥୀ ଯୋଗ୍ୟତା ସର୍ତାବଳୀ ପୂରଣ କରୁଥିଲେ ସେମାନେ ସିଏଏ ଜରିଆରେ ଭାରତୀୟ ନାଗରିକତା ପାଇପାରିବେ ।
୭. ଭାରତକୁ ବାଧ୍ୟ ହୋଇ ଚାଲିଆସିଥିବା ଭାରତୀୟ ବଂଶୋଦ୍ଭବ ବିଦେଶୀଙ୍କୁ ଭାରତରେ ରହିବା ଏବଂ ନାଗରିକତା ପ୍ରଦାନ କରିବା ଲାଗି ଅତୀତରେ ବିଭିନ୍ନ ସମୟରେ ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉଦାହରଣ ସ୍ୱରୂପ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬ ଅନୁଯାୟୀ ୧୯ ଜୁଲାଇ, ୧୯୪୮ ପୂର୍ବରୁ ପାକିସ୍ତାନରୁ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଭାରତୀୟ ନାଗରିକ ଭାବେ ମାନ୍ୟତା ଦିଆଯିବ । ଦ୍ୱିତୀୟରେ ଏହି ତାରିଖ କିମ୍ବା ଏହା ପରେ ଦେଶାନ୍ତରିତ ହୋଇଥିବା ଲୋକଙ୍କୁ ମାତ୍ର ୬ ମାସ ଭାରତରେ ରହିବା ପରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।
୮. ୧୯୬୪ ଏବଂ ୧୯୭୪ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ୧୯୬୪ରୁ ୨୦୦୮ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ୪.୬୧ ଲକ୍ଷ ତାମିଲ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିଲା । ବର୍ତମାନ ପାଖାପାଖି ୯୫ ହଜାର ଶ୍ରୀଲଙ୍କା ଶରଣାର୍ଥୀ ତାମିଲନାଡ଼ୁରେ ରହୁଛନ୍ତି । ସେମାନେ ଭାରତ ସରକାର ଓ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ରାସନ ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ସେମାନେ ମଧ୍ୟ ଭାରତୀୟ ନାଗରିକ ହେବା ପାଇଁ ଯୋଗ୍ୟ ହେବା ପରେ ଏଥିପାଇଁ ଆବେଦନ କରିପାରିବେ ।
୯. ୧୯୬୨ରୁ ୧୯୭୮ ମଧ୍ୟରେ ବର୍ମାରେ ଅଧିକାଂଶ ବାଣିଜ୍ୟ ଓ ବ୍ୟବସାୟକୁ ରାଷ୍ଟ୍ରାୟତ ଘୋଷଣା କରାଯିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସମ୍ପତିକୁ ସରକାର ବଳପୂର୍ବକ ଅକ୍ତିଆର କରିନେଲେ । ଏହା ପରେ ୨ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ବର୍ମାରୁ ଭାରତ ଚାଲିଆସିଲେ । ସେମାନେ ଭାରତର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ବସବାସ କଲେ ।
୧୦. ୧୯୬୫ ଓ ୧୯୭୧ ଯୁଦ୍ଧ ଏବଂ ପାଂଚ ବର୍ଷ ପୂର୍ବରୁ ପାକିସ୍ତାନରୁ ଦେଶାନ୍ତର ହୋଇଥିବା ହିନ୍ଦୁ ଶରଣାର୍ଥୀଙ୍କୁ ପଞ୍ଜିକରଣ ମାଧ୍ୟମରେ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଗୁଜରାଟ ଓ ରାଜସ୍ଥାନର ୬ ଜିଲ୍ଲାପାଳ ତଥା ଗୁଜରାଟ ସରକାରଙ୍କୁ ୨୦୦୪ରେ କେନ୍ଦ୍ର ସରକାର କ୍ଷମତା ଦେଇଥିଲେ । ଏହି କ୍ଷମତା ପ୍ରଥମେ ଏକ ବର୍ଷ ପାଇଁ ଦିଆଯାଇଥିଲା, କିନ୍ତୁ ଏହାକୁ ୨୦୦୫ ଏବଂ ପୁଣି ୨୦୦୬ ପର୍ଯ୍ୟନ୍ତ ଆହୁରି ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।
୧୧. ସିଏଏ କୌଣସି ବିଦେଶୀ ଧାର୍ମିକ ସମୁଦାୟକୁ ଟାର୍ଗେଟ କରୁନାହିଁ । ଏହା କେବଳ ସେହି ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ଯୋଗାଇ ଦେଉଛି ଯେଉଁମାନେ ବେଆଇନ ମାନ୍ୟତା ପାଇ କେତେକ ସର୍ତ ପୂରଣ କରିବା ସତ୍ୱେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ବଂଚିତ ହୋଇଛନ୍ତି । ସିଏଏର ବ୍ୟବସ୍ଥାକୁ ଲାଗୁ କରିବା ନିମନ୍ତେ ଭାରତ ସରକାର ନିୟମ ପ୍ରଣୟନ କରିବେ । କୌଣସି ପ୍ରବାସୀ ଆପେ ଆପେ ଭାରତୀୟ ନାଗରିକ ହୋଇଯିବେ ନାହିଁ । ତାଙ୍କୁ ଅନଲାଇନ ଆବେଦନ କରିବାକୁ ହେବ ଏବଂ ସେ ଭାରତୀୟ ନାଗରିକ ଭାବେ ପଞ୍ଜିକୃତ ହେବା ଓ ନାଗରିକତା ଗ୍ରହଣ କରିବା ଲାଗି ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି କି ନାହିଁ ତାହା କ୍ଷମତାପ୍ରାପ୍ତ ଅଧିକାରୀ ଅନୁଧ୍ୟାନ କରିବେ ।
୧୨. ସମ୍ବିଧାନର ଷଷ୍ଠ ଅନୁସୂଚୀ ଏବଂ ଇନର ଲାଇନ ପରମିଟ ସିଷ୍ଟମ ଅଧୀନରେ ଆସୁଥିବା ଅଂଚଳକୁ ଏଥିରୁ ବାଦ ଦିଆଯାଇଥିବାରୁ ସିଏଏ ଦ୍ୱାରା ଉତର-ପୂର୍ବାଂଚଳର ଜନଜାତି ଓ ଦେଶୀୟ ଲୋକମାନଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେବ ନାହିଁ । ଏହି ଅଂଚଳରେ ରହୁଥିବା ଏପରି ପ୍ରବାସୀମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ବିଦେଶୀଙ୍କ ଭିଡ଼ ସ୍ୱଦେଶୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବାର ପ୍ରଶ୍ନ ଉଠୁନାହିଁ ।