ସିଏଏକୁ ନେଇ ଅଭିଯାନ ଆରମ୍ଭ କରିବ ବିଜେପି; ୩ କୋଟି ପରିବାରରେ ପହଂଚିବ ଦଳ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଜେପି ୧୦ଦିନିଆ ଏକ ବିଶେଷ ଅଭିଯାନ ଆରମ୍ଭ କରିବ । ଏହି ଅଭିଯାନରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରିବ ବୋଲି ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନରେ କଂଗ୍ରେସକୁ ପଚାରିବା ଉଚିତ୍ ଯେ,  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୩ରେ ବାଂଲାଦେଶର ଅଳ୍ପସଂଖ୍ୟକ ନାଗରିକଙ୍କୁ ନାଗରିକତା ଦେବାକୁ ଅପିଲ କରିଥିଲେ ନା ନାହିଁ ? ସଂପ୍ରତି ବିରୋଧୀ ଭ୍ରମ ଓ ମିଥ୍ୟାର ରାଜନୀତି କରୁଛି, ଯାହାର ଜବାବ ଆମେ ଦେବୁ। କଂଗ୍ରେସକୁ ଏହାର ଜବାବ ଦେବା ଦରକାର ଯେ, କଣ ତାଙ୍କ ପାର୍ଟି ଦେଶରେ ହିଂସା ଓ ଜଳାପୋଡ଼ାକୁ ସମର୍ଥନ ଦେଉଛି ?

ବିଜେପିର କହିବା କଥା ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଧାର୍ମିକ ପ୍ରତାଡ଼ନାର ଶିକାର ଅନେକ ଲୋକଙ୍କୁ ନୂତନ ଆଶା, ବିଶ୍ଵାସ, ସୁରକ୍ଷା, ଆସ୍ଥା, ଗରିମାପୂର୍ଣ୍ଣ  ଜୀବନ ଦେବାର ମାର୍ଗ ପ୍ରଶସ୍ତ ହୋଇଛି।

ସେ କହିଛନ୍ତି ଯେ, ଆଗାମୀ ୧୦ ଦିନରେ ବିଜେପି ଏକ ବିଶେଷ ଅଭିଯାନ ଚଲାଇ ଘର ଘର ଯାଇ ନାଗରିକତା ସଂଶୋଧନ ଆଇନ ସଂଦର୍ଭରେ ତିନି କୋଟି ପରିବାରଙ୍କ ସହ ଯୋଗାଯୋଗ କରିବ। ଏହି ଆଇନ ସପକ୍ଷରେ ପ୍ରତ୍ୟେକ ଜିଲ୍ଲାରେ ରାଲି ଓ ସଭା ଆୟୋଜିତ ହେବ। ୨୫୦ରୁ ଅଧିକ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରାଯିବ। ସେ କହିଛନ୍ତି ଯେ, ଆଜି ଦେଶର ୧୧୦୧  ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ନିଜର ହସ୍ତାକ୍ଷର ଦ୍ଵାରା ଏହି ଆଇନକୁ ସମର୍ଥନ କରିଛନ୍ତି। ସେମାନଙ୍କ ବିଶ୍ଵ ବିଦ୍ୟାଳୟରୁ ଏହି ପତ୍ର ଆମକୁ ମିଳିଛି।