କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ: ଡିସେମ୍ବର ୫ରେ ମତଦାନ, ୯ରେ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରବିବାର କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୀବ କୁମାର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଭୋଟ ଗ୍ରହଣ କରାଯିବ ଓ ଫଳାଫଳ ଡିସେମ୍ବର ୯ରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ।

ଉପନିର୍ବାଚନ ପାଇଁ ନଭେମ୍ବର ୧୧ରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କର୍ଣ୍ଣାଟକରରେ ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ସେଥିମଧ୍ୟରୁ ୧୫ଟି ସିଟରେ ଉପନିର୍ବାଚନ ହେବ ।

ନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ଉପନିର୍ବାଚନରେ ରଣନୀତି ପ୍ରସ୍ତୁତ ଆରମ୍ଭ କରିଦେଇଛି । ରବିବାର ବେଙ୍ଗାଲୁରୁରେ କଂଗ୍ରେସ ନେତା ବୈଠକ କରିଛନ୍ତି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ଏହି ବୈଠକ ବସିଥିଲା । ଏହି ବୈଠକରେ ସିଦ୍ଧରମୈୟା, ବିକେ ହରିପ୍ରସାଦ, ଡିକେ ଶିବକୁମାର ଓ ଦିନେଶ ଗୁଣ୍ଡୁ ରାଓ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।