ଦୁଇଚକିଆକୁ ଦୁଇଟି ହେଲମେଟ୍‌; ନହେଲେ ହେବନି ପଞ୍ଜିକରଣ

ମୁମ୍ବାଇ: ଯଦି ଆପଣ ଦୁଇଚକିଆ ଗାଡି କିଣିବାକୁ ଯାଉଛନ୍ତି, ତେବେ ଦୁଇଟି ହେଲମେଟ୍‌ ବାଧ୍ୟ କିଣିବାକୁ ପଡିବ । ନହେଲେ ଗାଡି ପାଇଁ ପଞ୍ଜିକରଣ ହେବନାହିଁ । ଏଭଳି ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଚାଳକ ଓ ସହଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିୟମ ଆଣିଛନ୍ତି ମହାରାଷ୍ଟ୍ର ସରକାର ।

ଗାଡି ପଞ୍ଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ନିକଟରେ ଦୁଇଟି ହେଲମେଟ ଅଛି କି ନାହିଁ , ତାର ପ୍ରମାଣ ମଧ୍ୟ ଦେଖାଇବାକୁ ପଡିବ । ତେବେ ଦୁଇଚକିଆ ଗାଡି କିଣିବା ସମୟରେ ଦୁଇଟି ହେଲମେଟର ପୂରା ତଥ୍ୟ ଗାଡି ସହ ଦିଆଯାଇଥିବା ସମସ୍ତ ଦସ୍ତାବିଜ ସହ ସଂଯୁକ୍ତ କରାଯିବ । ଫଳରେ ଗାଡି ବିକ୍ରି ସମୟରେ ଡିଲର ଗ୍ରାହକଙ୍କୁ ଦୁଇଟି ହେଲମେଟ ଉପଲବ୍ଧ କରାଇବେ। ତେବେ ଦୁଇଟି ହେଲମେଟର ରସିଦକୁ ଗାଡିର ପଞ୍ଜିକରଣ ସମୟରେ ଆରଟିଓରେ ଦେଖାଇବା ପରେ ହିଁ ଯାଇ ଗାଡିର ପଞ୍ଜିକରଣ ହୋଇପାରିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।

ସେହିଭଳି କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ଧାରା ୧୩୮ (୪)(ଏଫ) ଅନୁସାରେ ଦୁଇ ଚକିଆ ଗାଡି କିଣିବା ସମୟରେ ଗ୍ରାହକଙ୍କୁ କଂପାନି ପକ୍ଷରୁ ଏକ ସୁରକ୍ଷାତ୍ମକ ହେଲମେଟ୍ ତଥା ବିଏସଆଇମାନକ ଯୁକ୍ତ ହେଲମେଟ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଆଉ ଏହି ନିୟମକୁ ରାଜ୍ୟରେ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ନଜରରେ ରଖି କଡାକଡି ଭାବେ ଲାଗୁ କରାଯାଉଛି ନୂଆ ମୋଟର ଯାନ ଆଇନ ।