ଆସନ୍ତାକାଲି ଗଡିବନି ବସ୍

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି ସମେତ ୧୨ ଦଫା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା କାରଣରୁ ସନ୍ଧ୍ୟା ୬ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ୍ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି ।

ଭାରତ ବନ୍ଦକୁ ବିଜେଡ଼ି ସମର୍ଥନ କରିବ ନାହିଁ ବୋଲି ଚର୍ଚ୍ଚା ହେଉଛି  | ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ଦଳ ବନ୍ଦକୁ ସମର୍ଥନ କରୁ ନ ଥିବା ଦର୍ଶାଉଛି ।

ଅନ୍ୟପଟେ ଆସନ୍ତାକାଲି ଭାରତ ବନ୍ଦକୁ ସେ ସମର୍ଥନ କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ବନ୍ଦକୁ କଂଗ୍ରେସ ସମର୍ଥନ ଘୋଷଣା କରିସାରିଥିବା ବେଳେ ଆଜି ମନ୍ତ୍ରୀ ଗଣମାଧ୍ୟମରେ ତାଙ୍କ ମତ ସ୍ପଷ୍ଟ କରିଛନ୍ତି ।

ଏଠାରେ ସୂଚନା ଥାଉ କି ୨୪ ଘଂଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୪ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ଦଳ ପକ୍ଷରୁ ଦିଆଯାଇନାହିଁ।