ଆଜିଠାରୁ ବ୍ରହ୍ମପୁରକୁ ଅନ୍ୟ ରାଜ୍ୟକୁ ଆଉ ଗଡିବନି ବସ୍

ବ୍ରହ୍ମପୁର: ଗତକାଲି ହଳଦିଆପଦର ବସଷ୍ଟାଣ୍ଡରୁ ବସ ଚଳାଚଳ ନେଇ ଘରୋଇ ବସ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ଆଜିଠାରୁ ବ୍ରହ୍ମପୁରରୁ ରାଜ୍ୟର ଅନ୍ୟ ସ୍ଥାନକୁ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା ଜଣାଯାଇଛି। ଏମକେସିଜି ମେଡିକାଲ ନିକଟରେ ଥିବା ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ପୁନରୁଦ୍ଧାର କାମ ଯୋଗୁଁ ହଳଦିଆପଦର ବସଷ୍ଟାଣ୍ଡରୁ ବସ ଚଳାଚଳ କରିବା ପାଇଁ ପ୍ରଶାସନର ନିଷ୍ପତ୍ତି ନେଇଥିବା ବେଳେ ବସ ମାଲିକ ସଂଘ ଏହାକୁ ବିରୋଧ କରୁଛି ।

ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ମରାମତି, ନବୀକରଣ ପାଇଁ ୨ ମାସ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ମରାମତି ଶେଷ ପର୍ଯ୍ୟନ୍ତ ହଳଦିଆପଦରରୁ ବସ୍ ଚଳାଚଳ ପ୍ରଶାସନ ନିଷ୍ପତ୍ତି ନେଇଥିଲା କିନ୍ତୁ ହଳଦିଆପଦରରୁ ସିଙ୍ଗଲ ରୁଟ ଥିବାରୁ ଦୁର୍ଘଟଣା ହେବ ବୋଲି ବସ ମାଲିକ ସଂଘ ଏହାକୁ ବିରୋଧ କରୁଛି ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୨ ତାରିଖରୁ ସରକାରୀ ବସଗୁଡ଼ିକ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରୁଛି। ସେଠାରୁ ସିଟି ବସଷ୍ଟାଣ୍ଡ ଯାଏଁ ଯାତ୍ରୀଙ୍କ ସୁବିଧା ଲାଗି ୧୦ଟି ସିଟି ବସ ଚଳାଚଳ କରୁଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ବ୍ରହ୍ମପୁରର ସବୁ ଘରୋଇ ବସ୍ ଠିଆ ହୋଇ ରହିଛି। ଏଣେ ଆଜି ସକାଳୁ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ମରାମତି ଓ ନବୀକରଣ କାମ ଆରମ୍ଭ ହୋଇଛି।