ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେଲା ବସ୍ ଚଳାଚଳ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେଲା ବସ୍ ଚଳାଚଳ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଗତ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ସଂପ୍ରତି ଓଡ଼ିଶାରେ ପ୍ରାୟ ୧୪ ହଜାର ବସ୍ ଚଳାଚଳ କରୁଛି।

ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ବସ୍‌ ମାଲିକମାନେ ଭୀଷଣ କ୍ଷତି ସହୁଛନ୍ତି।ଏହାକୁ ନଜରରେ ରଖି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୩ ଦଫା ଦାବି ରଖାଯାଇଛି। ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ଦାବିଗୁଡ଼ିକ ହେଲା ବସ୍‌ଗୁଡ଼ିକ ପାଇଁ ବସ୍‌ ମାଲିକମାନେ ପ୍ରଦାନ କରୁଥିବା ମାସିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରାଯାଉ। ବୀମା କମ୍ପାନିଗୁଡ଼ିକ ବସ୍‌ଗୁଡ଼ିକର ବୀମା ଅବଧି ଆସନ୍ତା ୬ ମାସ ପାଇଁ ବୃଦ୍ଧି କରିବାର ବ୍ୟବସ୍ଥା କରନ୍ତୁ। ବସ୍‌ ପାଇଁ ଋଣ ପ୍ରଦାନ କରିଥିବା ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକୁ ଋଣ ଉପରେ ସୁଧକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରନ୍ତୁ ଓ ମୂଳ ଋଣକୁ ଦେବା ପାଇଁ ୩ ମାସ ସମୟ ଦିଅନ୍ତୁ।