ଆସନ୍ତାକାଲି ଠାରୁ ବନ୍ଦ ରହିବ ବସ୍ ଚଳାଚଳ

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୧୧ଟାରୁ ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ । ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳ ବନ୍ଦ କରାଯିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟରେ ଲକ୍‌-ଡାଉନ୍‌କୁ ଆହୁରି ଗୁରୁତର ସହ ନିଆଯିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ ୮୫ଟି ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ କେବଳ ଦୁଇଟି ପଜିଟିଭ ଆସିଛି। ଆଉ ୨ଜଣ କୋରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି। ଭାରତରେ କରୋନା ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିଶ୍ୱରେ ୧୮୮ଟି ଦେଶକୁ କୋରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି। ବ୍ୟାଙ୍କ ଓ ବୀମା କମ୍ପାନିରେ କର୍ମଚାରୀଙ୍କ ସଂଖ୍ୟା ୧୦ପ୍ରତିଶତ ହ୍ରାସ କରାଯିବା ସହିତ ଅଫିସ ଯାଉଥିବା କର୍ମଚାରୀମାନେ ପୋଲିସଠାରୁ ପାସ୍‌ ନେବେ ବୋଲି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।

ସେହିପରି ଆସନ୍ତାକାଲି ମଧ୍ୟ ରାତିରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ। କେବଳ ମାଲବାହୀ ବିମାନ ଚାଲୁ ରଖିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୩୦ଯାଏଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ବୋଲି କୁହାଯାଇଥିଲା। ଦୀର୍ଘଦିନ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ଘରେ ଶୁଖିଲା ଖାଦ୍ୟ ପହଂଚାଇବା ବ୍ୟବସ୍ଥା ରାଜ୍ୟସରକାର କରୁଛନ୍ତି।