ଗଞ୍ଜାମ ଗୋଳନ୍ଥରାରେ ଅଘଟଣ  : ଚଳନ୍ତା ବସରେ ନିଆଁ ଲାଗି ୯ ମୃତ, ୩୦  ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା- ତୁଲୁ ରାସ୍ତାରେ ଏକ ବଡ ଧରଣ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟମାନଙ୍କର ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।  ସେମାନଙ୍କୁ ଏମ୍ କେସିଜି ଓ କେଲୁଆପାଳ ହସ୍ପିଟାଲକୁ ସ୍ଥାନାନନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ, ଦମକଳ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ସିଲକି ସିଟି ନାମକ ଏକ ଘରୋଇ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ ଚିକରଡାକୁ ଯାଉଥିଲା । ବିବାହ ଲାଗି ନିର୍ବନ୍ଧ ଉତ୍ସବରେ  ଯୋଗ ଦେବାକୁ ଡଙ୍କଲପାଟୁର ଏକ ଗାଁ ଲୋକେ ଯାଉଥିଲେ । ମେଣ୍ଡରାଜପୁର ନିକଟରେ ଗାଁ ରାସ୍ତାରେ ଯାଉଥିବା ବେଳେ ବସଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ବସଟି ହଠାତ ଜଳି ଉଠିଥିଲା ।

ଗାଡିରେ ଥିବା ଲୋକେ ଜୀବନ ବିକଳରେ ଚିତ୍କାର କରିବା ସହ ବାହରକୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ବିଦ୍ୟୁତ ସଂଯୋଗ ଥିବାରୁ କେହି ସହଜରେ ବାହାରି ପାରିନଥିଲେ । ଏପରିକି ବସ ଭିତରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ବିଦ୍ୟୁତ ସଂଯୋଗ କାଟିବା ସହ ବସରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବରପାଇ ୧୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ, ୫ରୁ ଅଧିକ ଦମକଳ ଓ ୧୦ରୁ ଅଧିକ ପୁଲିସ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଗାଡିରେ ଥିବା ସମସ୍ତ ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟାଲରେ ଦୁଇରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ବିଦ୍ୟୁତ ତାର ଏତେ ପାଖରେ କିପରି ଯାଇଥିବା ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।