ଦାରିଙ୍ଗବାଡି ଘାଟିରେ ଓଲଟିଲା ବସ୍‌; ବର୍ତିଲେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବ୍ରହ୍ମପୁର: ଦାରିଙ୍ଗବାଡିରୁ ପିକନିକ୍ ସାରି ଏକ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ସମୟରେ ଦାରିଙ୍ଗବାଡି ଘାଟିରେ ଓଲଟିଲା ବସ୍ । ଫଳରେ ବସ୍ ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି । ହେଲେ ସୌଭାଗ୍ୟବଶଃତ ଗାଡ଼ିଟି ଘାଟିରେ ଝୁଲିକି ରହିଗଲା।  ବିପଦକୁ ସାମନାରେ  ଦେଖି ମଧ୍ୟ ଛାତ୍ରଛାତ୍ରୀମାନେ ଭୟଭୀତ ନ ହୋଇ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌ର କାଚ ଭାଙ୍ଗି ବାହାରି ଆସିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଗଂଜାମ କନ୍ଧମାଳ ସିମାନ୍ତରେ ଥିବା ଦାରିଙ୍ଗିବାଡିକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ବଣଭୋଜି ସାରି ଫେରୁଥିବା ବେଳେ କିଛି ବାଟ ପରେ ଦାରିଙ୍ଗିବାଡି ଘାଟିରେ ଗାଡିର ଟାୟାର ଫାଟି  ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିଟି ଏକ ଘାଟିରେ କିଛି ବାଟ ଯାଇ ଅଟକିଗଲା। ଏହାଦେଖି ସମସ୍ତ ଛାତ୍ରଛାତ୍ରୀ ଗାଡିର କାଚ ଭାଙ୍ଗି ବାହାରକୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଫଳରେ ଏକ ବିରାଟ ଦୁର୍ଘଟଣାରୁ ସମସ୍ତେ ବର୍ତି ଯାଇଛନ୍ତି ।  ସୋରଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଏକ ବସ୍‌ ଯୋଗେ ସୋରଡ଼ା ପହଂଚାଇଥିବା ଜଣାପଡିଛି  l