ବୁରାରି ୧୧ ଜଣଙ୍କ ମୃତ୍ୟୁ ଘଟଣାରେ ୧୧ ରହସ୍ୟ  : ୧୧ ମୃତ୍ୟୁ, କାନ୍ଥରେ୧୧ ପାଇପ ୧୧ ଡାଏରୀରେ ୧୧ ବର୍ଷର ଲେଖା, ସିସିଟିଭି ଫୁଟେଜ୍‌ରେ ଆସିଲା ଆତ୍ମ ହତ୍ୟା ପୂର୍ବର ଦୃଶ୍ୟ

ଦିଲ୍ଲୀ : ଦିଲ୍ଲୀ ବୁରାରି ଚନ୍ଦୱାତ୍‌ ପରିବାର ୧୧ ଜଣଙ୍କ ମୃତ୍ୟୁ ଘଟଣାର ରହସ୍ୟ ଫିଟିବାରେ ଲାଗିଛି। ଚନ୍ଦାୱାତ୍ ପରିବାର ସାମୂହିକ ଆତ୍ମହତ୍ୟା କରିଥିବା ପୋଲିସକୁ ମିଳିଥିବା ସିସିଟିଭି ଫୁଟେଜ୍‌ରୁ ଏକପ୍ରକାର ସ୍ପଷ୍ଟ ହେଉଛି । ହେଲେ ଏମାନେ ଆତ୍ମହତ୍ୟା ପଛର କାରଣ କଣ ସେ ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କାରଣ ୧୧ ଜଣଙ୍କ ମୃତ୍ୟୁ, ୧୧ ଡାଏରୀ, ୧୧ ବର୍ଷ ଧରି ଲେଖା, ଘର ବାହାରେ ଲାଗିଥିବା ୧୧ ପ୍ଲାଷ୍ଟିକ୍‌ ପାଇପ୍‌ ରହସ୍ୟ ଭିତରେ ଫଶି ରହିଛି ପୋଲିସ ତଦନ୍ତ ।

୧୧ ଜଣଙ୍କ ମୃତ୍ୟୁ, ୧୧ ଡାଏରୀ ଜବତ, ଡାଏରୀରେ ୧୧ ବର୍ଷଧରି ଲେଖା, ଘର କାନ୍ଥରେ ୧୧ ପ୍ଲାଷ୍ଟିକ୍‌ ପାଇପ୍‌ । ଏହି ୧୧ ସଂଖ୍ୟାର ରହସ୍ୟ ଭିତରେ ଲଟକି ରହିଛି ଦିଲ୍ଲୀ ପୋଲିସର ତଦନ୍ତ । ଦିଲ୍ଲୀ ବୁରାରିର ଚନ୍ଦାୱାତ ପରିବାରର ୧୧ ଜଣଙ୍କ ମୃତ୍ୟୁ ଯେ ସାମୁହିକ ଆତ୍ମହତ୍ୟା ପାଇଁ ହୋଇଛି ତାହା ପୋଲିସ ସ୍ପଷ୍ଟ କରିଛି । କାରଣ ଗତକାଲି ପୋଲିସ ପାଇଥିବା ସିସିଟିଭି ଫୁଟେଜ୍‌ରେ ପରିବାରର ୨ ଜଣ ମହିଳା ଘରକୁ କେତେକ ଷ୍ଟୁଲ୍‌ ନେଇ ଯାଉଥିବାର ଦୃଶ୍ୟ ରହିଛି । ଯେଉଁ ଷ୍ଟୁଲକୁ ସେମାନେ ଆତ୍ମହତ୍ୟା ପାଇଁ ବ୍ୟବହାର କରିଛନ୍ତି । ସେହିଭଳି ଘରର ଅନ୍ୟ ଦୁଇ ପିଲା ହାତରେ ରଶି ନେଇ ଯାଉଥିବାର ଦୃଶ୍ୟ ସ୍ପଷ୍ଟ ଭାବେ ରହିଛି । ପୋଲିସ ଘରୁ ଯେଉଁ ୧୧ ଟି ଡାଏରୀ ଜବତ କରିଛି ସବୁ ଡାଏରୀରେ ୧୧ ବର୍ଷ ଧରି ଲେଖା ରହିଛି । ଘର ମୁଖ୍ୟ ଦ୍ବାର ୧୧ ଟି ରଡ୍ ରେ ତିଆରି ହୋଇଥିବା ବେଳେ ଘର ବାହାର କାନ୍ଥରେ ୧୧ ଟି ପ୍ଲାଷ୍ଟିକ୍ ପାଇପ୍  ଠାବ କରିଥିଲା ପୋଲିସ ।  ପାଇପ୍ ଏବଂ ଲୁହା ରଡ୍ ଲଗାଯିବାରେ ପରିବାର ପକ୍ଷରୁ ସେପରି କିଛି ନିର୍ଦ୍ଦେଶ ଦିଆଯାଇନଥିଲା ବୋଲି ଘର ତିଆରି କାମ କରିଥିବା ମିସ୍ତ୍ରୀ ପୋଲିସକୁ କହିଛି । ତେବେ ଜବତ ଡାଏରୀରେ ୨୦୦୭  ମାସ ଜୁଲାଇରୁ ଏପରି କିଛି ଲେଖା ଆରମ୍ଭ ହୋଇଛି ଯାହାକି ଆତ୍ମା, ଇଶ୍ବର ବିଶ୍ବାସ, ମୃତ୍ୟୁ ପରର କ୍ରିୟା, ଭଗବାନଙ୍କୁ ଧନ୍ୟବାଦ ଆଦି ଘଟଣା ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି ।  ଚନ୍ଦୱାତ ପରିବାରର ମୁଖ୍ୟ ଭୋପାଲ ସିଂଙ୍କ ମୃତ୍ୟୁର କିଛି ଦିନ ପରେ ଏପରି ସ୍ଥିତି ଆରମ୍ଭ ହୋଇଥିଲା। ଭୋପାଲଙ୍କ ପତ୍ନୀ  ୭୭ ବର୍ଷୀୟ ନାରାୟଣ ଦେବୀଙ୍କ ସାନ ପୁଅ ଲଳିତଙ୍କ କଥା ସମସ୍ତେ ମାନୁଥିଲେ। ଲଳିତ ତାଙ୍କ ମୃତ ପିତା ଓ ଇଶ୍ବରଙ୍କ ସହ କୁଆଡେ ବାରମ୍ବାର କଥା ହେଉଥିବା କହୁଥିଲେ । ଏମାନଙ୍କ ଘରେ ପ୍ରତିଦିନ ୩ ଥର ପୂଜା ପ୍ରାର୍ଥନାରେ ସାରା ପରିବାର ଯୋଗ ଦେଉଥିଲେ । କିଛି ପ୍ରାୟଶ୍ଚିତ ଲାଗି ଏମାନେ ଏପରି  ମୃତ୍ୟୁ ରାସ୍ତା ବାଛିଥିଲେ ବି ଶେଷ କ୍ଷଣରେ ସ୍ବର୍ଗବାସୀ ପିତା ବା ଇଶ୍ବର ଏମାନଙ୍କୁ ରକ୍ଷା କରିବେ ବୋଲି ଏମାନଙ୍କର କୁଆଡେ ଭରସା ଥିଲା । ତେବେ ଏମାନଙ୍କର ଆତ୍ମହତ୍ୟାର ଉଦ୍ଦେଶ୍ୟ ନଥିଲା । ଏମାନେ ସମସ୍ତେ ଭଲ ଭବିଷ୍ୟତ ପାଇଁ ଏଭଳି ତପସ୍ୟା କରୁଥିଲେ । ଦିବଗନ୍ତ ପିତାଙ୍କ ଆତ୍ମାକୁ ଖୁସି କରିବା ଚକ୍କରେ ଏମାନଙ୍କ ପ୍ରାଣ ଯାଇଛି । ଏପଟେ ମୃତ୍ୟୁ ପୂର୍ବରୁ ଚନ୍ଦାୱାତ ପରିବାର ବାହାରୁ ଖାଦ୍ୟ ମଗାଇଥିଲେ । ତାର ରସିଦ ବି ପୋଲିସକୁ ମିଳିଛି ।ଏସବୁ ଘଟଣା ଗଣ ଆତ୍ମହତ୍ୟାର ସୁରାକ୍ ଦେଇଛି।