ବୁରାରିରେ ୧୧ ଜଣଙ୍କ ମୃତ୍ୟୁ ଘଟଣା : ସାମ୍ମନାକୁ ଆସିଲା ଆତ୍ମହତ୍ୟା ପ୍ରସ୍ତୁତିର ଦୃଶ୍ୟ,ଜାଣନ୍ତୁ ମୃତ୍ୟୁ ପୂର୍ବରୁ କଣ ଖାଇଥିଲେ ଭାଟିଆ ପରିବାର

ନୂଆଦିଲ୍ଲୀ : ବୁରାରି ଗଣ ୧୧ ଜଣଙ୍କ ମୃତ୍ୟୁ ଘଟଣାର ଗୋଟିଏ ପରେ ଗୋଟିଏ ଦିଗ ସାମ୍ମନାକୁ ଆସୁଛି । ଏବେ ସିସିଟିଭି ଫୁଟେଜରୁ ପଦାକୁ ଆସିଛି ଆତ୍ମହତ୍ୟା ପାଇଁ ଭାଟିଆ ପରିବାର କେମିତି ପ୍ରସ୍ତୁତି ହୋଇଥିଲେ । ଘଟଣାର ପୂର୍ବଦିନ ରାତିରେ ହିଁ ଭାଟିଆ ପରିବାରର ବୋହୂ କେମିତି ନିଜ ରୁମ୍କୁ ଷ୍ଟୁଲ ନେଉଛନ୍ତି, ତା’ର ଦୃଶ୍ୟ ରହିଛି । ସେହିପରି ୧୫ ବର୍ଷୀୟ ଦୁଇ ନାବାଳକ ତାର ନେଉଥିବା ଦେଖିବାକୁ ମିଳିଛି । ଏହିସବୁକୁ ବ୍ୟବହାର କରି ହିଁ ଭାଟିଆ ପରିବାର ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ୍ କହିଛି । ଦିଲ୍ଲୀ ପୁଲିସ୍ ଜବତ କରିଥିବା ସିସିଟିଭିରୁ ଏକଥା ସ୍ପଷ୍ଟ ହୋଇଛି ଯେ ରାତି ୧୦ଟାଠାରୁ ସକାଳ ପର୍ଯ୍ୟନ୍ତ କୌଣସି ବାହାର ଲୋକ ଭାଟିଆ ପରିବାରବର୍ଗଙ୍କୁ ସାକ୍ଷାତ କରି ନଥିଲେ । ସିଟିଭିଟି ଭାଟିଆ ପରିବାର ବର୍ଗଙ୍କ ଘରର ବିପରୀତ ଦିଗରେ ରହିଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଭାଟିଆ ପରିବାରର ବଡ଼ ବୋହୂ ସବିତା ତାଙ୍କ ଝିଅ ନୀତୁ ୫ଟି ଷ୍ଟୁଲ୍ ବୋହି ନେଉଥିବା ଦେଖିବାକୁ ମିଳୁଛି । ଏହି ଷ୍ଟୁଲ ଗୁଡ଼ିକ ପରବର୍ତ୍ତୀ ଅବସ୍ଥାରେ ଆତ୍ମହତ୍ୟା ପାଇଁ ବ୍ୟବହାର କରାଯାଇଥିଲା । ଏବେ ପୁଲିସ୍ ଷ୍ଟୁଲ ଗୁଡ଼ିକ କେଉଁଠୁ ଆସିଲା, ତା’ର ତଦନ୍ତ ଆରମ୍ଭ କରିଛି । ରାତି ୧୦.୧୫ରେ ଧ୍ରୁବ ଓ ଶିବମ ପ୍ଲାଏଉଡ୍ ଶୋ’ରୁମ୍ରୁ ତାର ନେଉଥିବାର ଦୃଶ୍ୟ ସିସିଟିଭିରେ ରହିଛି ।

ମୃତ୍ୟୁ ପୂର୍ବରୁ କଣ ଖାଇଥିଲେ ଭାଟିଆ ପରିବାର

ମୃତ୍ୟୁ ପୂର୍ବରୁ ଭାଟିଆ ପରିବାର ବଟର ରୁଟି ଖାଇଥିଲେ । ଏହି ବଟର ରୁଟି ଏକ ହୋଟେଲରୁ ଆସିଥିଲା । ଏହାକୁ ଆଣିବାକୁ ଭାଟିଆ ପରିବାରର କେହି ଯାଇନଥିଲେ । ହୋଟେଲ ଟେଲିଭରି ବୟ ଆଣି ବଟର ରୁଟିକୁ ଭାଟିଆ ପରିବାରରେ ଦେଇଥିଲେ । ରାତି ୧୦.୪୦ରେ ଜଣେ ଡେଲିଭରୀ ବୟ ଭାଟିଆ ପରିବାରକୁ ଆସି ୨୦ଟି ବଟର ରୁଟି ଦେଇଥିଲା । ଏଥିପାଇଁ ଭାଟିଆ ପରିବାର ପୂର୍ବରୁ ବରାଦ ଦେଇଥିଲେ । ରୁଟି ଖାଇବା ପାଇଁ କିନ୍ତୁ ପରିବାର ଲୋକ କୌଣସି ତରକାରି କରି ନଥିଲେ । ୧୧ଟାରେ ଭାଟିଆ ପରିବାରର ବଡ଼ ପୁଅ ଭବନେଶ ନିଜ କୁକୁରକୁ ଧରି ବାହାରେ ଚାଲିବାକୁ ଯାଇଥିଲେ । ସେ ୫ ମିନିଟ୍ ପରେ ଘରକୁ ଫେରି ଆସିଥିଲେ । ରାତି ୧୧ଟାରୁ ସକାଳ ୬ଟା ଯାଏ କେହି ବି ଭାଟିଆ ପରିବାରକୁ ଯା ଆସ କରି ନ ଥିଲେ । କେବଳ ଜଣେ କ୍ଷୀର ବିକାଳି କ୍ଷୀର ଥୋଇ ଚାଲି ଯାଇଥିବା ସିସିଟିଭିରେ ରହିଛି । ତେଣୁ ଭାଟିଆ ପରିବାର ହିଁ ଆତ୍ମହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଛି । ରବିବାର ଭାଟିଆ ପରିବାରର ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ବୟସ୍କା ମହିଳାଙ୍କ ମୃତଦେହ ଚଟାଣରୁ ପୁଲିସ୍ ଉଦ୍ଧାର କରିଥିଲା ।