ଚିଲିକା ଉପରେ ନିର୍ମାଣ ହେବ ୨ ବଡ଼ ବ୍ରିଜ୍

ଭୁବନେଶ୍ୱର: ଚିଲିକା ଉପରେ ୨ଟି ବଡ଼ ବ୍ରିଜ୍ ହେବା ନେଇ ବୁଧବାର ରାଜ୍ୟ ସଚିବାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଛି । ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଓଡ଼ିଶାର ଉପକୂଳରେ ରାଜପଥ ନିର୍ମାଣ କରିବାକୁ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି । ବୈଠକରେ ନିଷ୍ପତି ହୋଇଥିବା ବ୍ରିଜ୍ର ନିର୍ମାଣ ସମୟରେ ଡଲଫିନ୍ ଯେଭଳି ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବା ପାଇଁ ନିଷ୍ପତି ହୋଇଛି । ଉକ୍ତ ବୈଠକରେ କେନ୍ଦ୍ରୀୟ କର୍ତୃପକ୍ଷ ଓ ରାଜ୍ୟସରକାରଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ।
ବୈଠକ ପରେ ଓଡ଼ିଶା ସରକାରଙ୍କ ସଚିବ ନଳିନୀକାନ୍ତ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏନ୍ଏଚ୍ଏଆଇ ଦ୍ୱାରା ଓଡ଼ିଶାର ଉପକୂଳରେ ଜାତୀୟ ରାଜପଥ ନିର୍ମାଣ ହେବ । ଏନେଇ ଗତବର୍ଷ ଏପ୍ରିଲରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ବାବଦରେ ଆଜି ଆୟୋଜିତ ହୋଇଥିବା ବୈଠକରେ ଆଲୋଚନା ହୋଇଛି । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସାତପଡ଼ାଠାରୁ ପୁରୀ ଯାଏଁ ଜାତୀୟ ରାଜପଥ ନିର୍ମାଣ ହେବ ।