ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ

କଟକ:କଟକ ବଜ୍ରକବାଟୀ ରୋଡ଼ରେ ଥିବା ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ପରେ ସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରହିଛି ।  ଅଗ୍ନିକାଣ୍ଡ ପରେ କଟକ ଓ ଆଖପାଖ ଜିଲ୍ଲାରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି । 

ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ ପର ଠାରୁ କଟକର ସମେତ ୮ଟି ଜିଲ୍ଲାରେ ସେବା ବନ୍ଦ ହୋଇପଡ଼ିଛି । ଏହି ସବୁ ଇଣ୍ଟରନେଟ, ଟାୱାର ସବୁ ସେବା ପ୍ରଭାବିତ ହୋଇଛି । ଏହି ସବୁ ସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରହିଛି । କେନ୍ଦୁଝର, ଢେଙ୍କାନା ଓ ଅନୁଗୁଳ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ରହିଛି । ବର୍ତ୍ତମାନ କଟକ ଓ ଆଖପାଖ ଜିଲ୍ଲାରେ ସେବା ଯୋଗାଇବାକୁ ଗୁରୁତ୍ୱ ଦିଆଯିବ । କାଲି ସୁଦ୍ଧା ବ୍ୟାଙ୍କ ପାଇଁ ଇଣ୍ଟରନେଟ ସୁବିଧା ଯୋଗାଇବାକୁ କାମ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ମୋବାଇଲ ସେବା ସ୍ୱାଭାବିକ କରିବାକୁ କାମ କରାଯିବ । ଫଳରେ ସପ୍ତାହ ମଧ୍ୟରେ କଟକର ସମସ୍ତ ସ୍ଥାନରେ ବିଏସଏନଏଲ  ସେବା ସ୍ୱାଭାବିକ ହେବ ବୋଲି ବିଏସଏନଏଲର ଏଜିଏମ ଟ୍ରାନ୍ସମିଶନ ତାପସୀ ପ୍ରସାଦ ବେହେରା ପ୍ରତିକ୍ରିୟା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତକାଲି କଟକ ବଜ୍ରକବାଟୀ ରୋଡ଼ର ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ଭୀଷଣ ଆକାରରେ ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ଏକାଧିକ ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତକରିଥିଲେ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଥିଲା । ଅଫିସରେ ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଥିଲେ । କିନ୍ତୁ ବିଶେଷ କ୍ଷୟକ୍ଷତି ସହିବାକୁ ପଡ଼ିଥିଲା ।