ଲୋଡିଲେନି ଆସ୍ତା : କଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା

ବାଙ୍ଗାଲୋର  : କଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି. ଏସ୍. ୟେଦିୟୁରପ୍ପା । ବିଧାନସଭାରେ ଆସ୍ତାଭୋଟ ଭୋଟ ପୂର୍ବରୁ ନିଜ ଭାଷାଣ ରଖିଥିଲେ ୟେଦିୟୁରପ୍ପା । ଏହାପରେ ଇସ୍ତଫା ଦେବା ଘୋଷଣା କରିଥିଲେ । ପରେ ରାଜଭବନଯାଇ ରାଜ୍ୟ ପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି ।

ଅଢେଇ ଦିନରେ ୟେଦି ବିଦା । ତୃତୀୟ ଟର୍ମରେ ମାତ୍ର ଅଢେଇ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା ଶେଷରେ ଇସ୍ତଫା ଦେଲେ । ଆସ୍ଥା ଭୋଟ୍ ନ ଲୋଡ଼ି ଗୃହରେ ଭାବପ୍ରବଣ ଭାଷଣ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସେ । ଆଉ ୟେଦି ଇସ୍ତଫା ଦେଉ ଦେଉ ଗୃହରେ ଦୁଇ ଆଙ୍ଗୁଠି ଦେଖାଇ ବିଜୟର ଖୁସି ମନାଇଛନ୍ତି ଜେଡିଏସ୍ ଓ କଂଗ୍ରେସ ବିଧାୟକମାନେ ।

ଭାବପ୍ରବଣ ଭାଷଣ । ଆଉ ତା ପରେ ଇସ୍ତଫା ଘୋଷଣା । ମୁଁ ସଂଘର୍ଷ କରି ଆସିଛି, ଏବେ ଯଦି ମୁଁ କ୍ଷମତା ହରାଏ, ତେବେ ମୁଁ କିଛି ହରାଇବିନି । ଭାବପ୍ରବଣ ଭାଷଣର ଶେଷ ଆଡ଼କୁ ଏମିତି କହିଲେ … ଆଉ ସଙ୍ଗେ ସଙ୍ଗେ ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକର ଅଢେଇ ଦିନର ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା । ଗୃହରେ ଘୋଷଣା ପରେ ପରେ ସିଧା ରାଜଭବନ ଯାଇ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ବି. ଏସ୍. ୟେଦିୟୁରପ୍ପା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶନିବାର ଥିଲା ୟେଦିୟୁରପ୍ପାଙ୍କ ପାଇଁ ଅଗ୍ନି ପରୀକ୍ଷା । ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳ, ତାଙ୍କୁ ୧୫ ଦିନ ସମୟ ଦେଇଥିଲେ । କିନ୍ତୁ କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଆଗତ ମାମଲାର ଶୁଣାଣି ପରେ ସୁପ୍ରିମକୋର୍ଟ ଦେଇଥିଲେ ମାତ୍ର ୨୮ ଘଣ୍ଟା । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦିୟୁରପ୍ପା, ଦମ୍ଭ ସହ କହୁଥିଲେ ଫ୍ଲୋର୍ ଟେଷ୍ଟରେ ଜିତିଯିବେ । ଏପରିକି କିଛି ବିରୋଧୀ ବିଧାୟକ ତାଙ୍କୁ ସମର୍ଥନ କରିବେ ବୋଲି କହୁଥିଲେ । କିନ୍ତୁ କଂଗ୍ରେସ ଓ ଜେଡିଏସର ବସ୍ ମାନେ ନିଜ ନିଜ ବିଧାୟକଙ୍କୁ ଏକ ରକମକ ଠେଙ୍ଗା ପକାଇ ଜଗି ରଖିଲେ । ଯାହା ଫଳରେ ବିଜେପିର ସବୁ ବାଟ ବନ୍ଦ ହୋଇଗଲା । କେବଳ ଦୁଇ ସ୍ବାଧୀନ ବିଧାୟକଙ୍କୁ ଛାଡ଼ିଦେଲେ, ପୂର୍ବରୁ ନିଖୋଜ ଥିବା ବିରୋଧୀ କ୍ୟାମ୍ପର ୫ ବିଧାୟକ ବିଜେପିକୁ ହତାଶ କଲେ । ଫଳରେ ଅନ୍ୟ ଉପାୟ ନପାଇ ଭାବପ୍ରବଣ ଭାଷଣ ଦେଇ ଇସ୍ତଫା ଘୋଷଣା କଲେ ୟେଦିୟୁରପ୍ପା । ଯାହାକୁ ଏକ ରକମ ବିଜୟ ଉତ୍ସବ ଭଳି ମନାଇଛନ୍ତି କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ।