ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନ୍ ସୁଗାର୍ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର୍ ଜବତ ହୋଇଛି ଏବଂ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରାଇମବ୍ରାଂଚ ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

ତାଙ୍କର ସୂଚନା ଅନୁଯାୟୀ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଛକରେ ମୁଖ୍ୟ ଅଭିଯୁକ୍ତ ଓ ବାଇକରେ ଦୁଇଜଣ ଯୁବକ ବ୍ରାଉନସୁଗର ଡିଲ୍ କରିବାକୁ ଆସିଥିଲେ। ସେମାନଙ୍କ ସଂପର୍କରେ ଖବର ପାଇବା ମାତ୍ରେ ବ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ଥିଲା। ସେଠାରୁ ୧ କିଲୋଗ୍ରାମ୍ ୮ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ୧ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଯୁବକ ହେଲେ ଖୋର୍ଦ୍ଧାର ଅଜୟ ମହାପାତ୍ର ଏବଂ ବିଭୂତିଭୂଷଣ ଜେନା। ଘଟଣାସ୍ଥଳରୁ ଏକ ବାଇକ୍ ବି ଜବତ ହୋଇଥିବା ଜଣାଯାଇଛି।

ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାପି ମଙ୍ଗରାଜ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ତାକୁ ଧରିବା ଲାଗି ବ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ପକ୍ଷରୁ ତନାଘନା ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଡିଆଇଜି ଜୟନାରାୟଣ ପଙ୍କଜ। ଗତ ଜାନୁଆରି ୧ ତାରିଖରୁ ଏଯାବତ୍ ରାଜ୍ୟରେ ୭ କିଲୋଗ୍ରାମ୍ ୮୦୦ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ ହୋଇଥିବା ଜୟନାରାୟଣ ପଙ୍କଜ କହିଛନ୍ତି।