୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ୩ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲର ଜଳେଶ୍ୱରରୁ ବ୍ରାଉନସୁଗର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଜଣେ ଖସି ପଳାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ; ଜଳେଶ୍ବର ଥାନା ଅନ୍ତର୍ଗତ ଶେଖସରାଇରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୩ଜଣଙ୍କୁ ଜଳେଶ୍ବର ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଖାଲି ସେତିକି ନୁହେଁ, ସେମାନଙ୍କ ପାଖରୁ ୩ ଲକ୍ଷ ୧୪ ହଜାର ଟଙ୍କା ଓ ଏକ କାର୍ (ଓଆର ୦୧୦୨-ବିଟି ୯୧୬୧) ମଧ୍ୟ ଜବତ କରିଛି ଜଳେଶ୍ବର ଥାନା ପୋଲିସ।

ପୂର୍ବରୁ ପୋଲିସ ଏସଂପର୍କରେ ସୂଚନା ପାଇ ଶେଖସରାଇରେ ଏକ ଇଣ୍ଡିଗୋ କାର୍ (ଓଆର ୦୧୦୨-ବିଟି ୯୧୬୧) ଉପରେ ଚଢ଼ଉ କରିଥିଲା। ଏହି କାର୍ ଭିତରୁ ଯେଉଁ ୧୦୦ ଗ୍ରାମ୍ ଓଜନର ବ୍ରାଉନ୍‌ସୁଗର ଜବତ କରାଯାଇଛି । ତାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ଏହି ଘଟଣାରେ ଗିରଫ ହୋଇଥିବା ତିନିଜଣ ହେଲେ ପୁରୀ ଜିଲ୍ଲାର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ରକଣା ଗ୍ରାମର ଶ୍ରୀଧର ନାୟକ (୩୦), ଦେବାଶିଷ ମହାନ୍ତି (୩୦) ଓ ଲିଟୁ ଦୋରା (୨୯)। ଖସି ଯାଇଥିବା ଅନ୍ୟତମ ଅଭିଯୁକ୍ତ ହେଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଶେଖ୍ ହେମରୁଦ୍ଦିନଙ୍କ ପୁଅ ଶେଖ ସଫିରୁଦ୍ଦିନ (୩୬)।

ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ବର ସାହୁ, ଏସ୍ ଆଇ ଦିଲୀପ ସାମଲ, ନବଦୀପ ସେଠୀ ଏବଂ ସତ୍ୟନାରାୟଣ ବଳ ପ୍ରମୁଖ ଏହି ଚଢ଼ଉ କରିଥିଲେ।