ବଣେଇ ଜାମଢ଼ିରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ୧୧ ଶ୍ରମିକ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଣେଇ ଉପଖଣ୍ଡ ଜାମଢ଼ିହିରୁ କୁଞ୍ଚପାଣିକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏନ୍ବିସିସି ସଂସ୍ଥା ଦ୍ୱାରା ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲଟି ଭୁଶୁଡ଼ିବା ବେଳେ ସେଠାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ । କୌଣସି କାରଣରୁ ପୋଲଟିର ଛାତ ୩୦ ଫୁଟ ତଳକୁ ଭୁଶୁଡ଼ି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରାଯାଇ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରୁ ଗୁରୁତର ଭାବେ ଆହତ ହୋଇଥିବା ୬ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଉଛନ୍ତି ଚିନ୍ତନ ମୁଣ୍ଡା, ଜାରମାଇ ମୁଣ୍ଡା, ସତୀଶ କୁମାର, ଗଙ୍ଗାମଣି ମୁଣ୍ଡା, ମଙ୍ଗଳ ମୁଣ୍ଡା, ଗୁରୁବାରୀ ଓରାମ, ସବର ମୁଣ୍ଡା, ଗୋମୀ ମୁଣ୍ଡା, ରଚନା ମୁଣ୍ଡା, ମିନି ମୁଣ୍ଡା ଓ ସୁମିତ୍ରା ମୁଣ୍ଡା । ତେବେ ଏହି ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିବା ଠିକା ସଂସ୍ଥା ସେମାନଙ୍କୁ କୌଣସି ସୁରକ୍ଷା ସାମଗ୍ରୀ ଯୋଗାଇ ନଥିଲା । ସେହି କାରଣରୁ ଶ୍ରମିକମାନେ ଆହତ ହେଲେ ବୋଲି ଅଭିଯୋଗ ହୋଇଛି । ଦୁର୍ବଳ ସେଣ୍ଟିଂ ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା ବୋଲି କିଛି ଶ୍ରମିକ ସୂଚନା ଦେଇଛନ୍ତି ।