ପ୍ରବଳ ବର୍ଷାରୁ କନ୍ଧମାଳ, ରାୟଗଡ଼ାରେ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହେବା ଫଳରେ ପୂରା ରାଜ୍ୟରେ ବର୍ଷା ହୋଇଛି । ଏହାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ଦେଖା ଦେଇଛି । କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁଁ ବ୍ରିଜ ଭାଙ୍ଗି ଯାଇ ଥିବା ବେଳେ ରାୟଗଡ଼ାରେ ରେଳ ଟ୍ରାକ ଧୋଇଯିବା କାରଣରୁ ଟିଟଲାଗଡ଼ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବର୍ଷାଜଳରେ ଆଜି କୋଟଗଡ଼ ବ୍ଲକର ନିଲିଗୁଡ଼ା ବ୍ରିଜ ଭାଙ୍ଗିଯାଇଛି । ଫଳରେ ବ୍ରିଜର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଅଟକି ରହିଛି । ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ରାୟଗଡ଼ାରେ ଳଗାଣ ବର୍ଷା କାରଣରୁ ରେଳପଥ ଧୋଇଯିବାରୁ ଟିଟଲାଗଡ଼ ରୁଟରେ ଆଜି କିଛି ଟେନର ଗତିପଥ ବଦଳା ଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଗତକାଲି ପ୍ରବଳ ବର୍ଷା ଫଳରେ ରାୟଗଡ଼ା –ଟିଟଲାଗଡ଼ ମଧ୍ୟରେ ଟ୍ରେନ ଟ୍ରାକ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ପ୍ରାୟ ୧୦୦ମିଟର ଯାଏଁ ଟ୍ରେନ ଟ୍ରାକ ଧୋଇ ହୋଇଯାଇଥିଲା । ଏହା ସହ ରାୟଗଡ଼ା ନିକଟ ଡାଇକାଲୁ ଆମ୍ବଦଳାରେ ରେଳ ଟ୍ରାକ ଉପରେ ବନ୍ୟାଜଳ ଚାଲୁଥିବାରୁ ଆମ୍ବଦଳା ଷ୍ଟେସନ ନିକଟରେ ଗୋଟିଏ ମାଲଗାଡିର ୩ଟି ବଗି ଧୋଇ ହୋଇ ଲାଇନଚ୍ୟୁତ ହୋଇଯାଇଥିଲା । ତେଣୁ ଆଜି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।