ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଥିବାବେଳେ ପୁଣି ଜଣେ ଅଭିନେତା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ‘ୟେ ରିସ୍ତେ ହେଁ ପ୍ୟାର୍‌ କେ’ ସିରିଅଲ୍‌ରେ ଅଭିନୟ କରିଥିବା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମୁମ୍ବାଇ ସ୍ଥିତ ମାଲାଦ୍‌ ୱେଷ୍ଟ ସ୍ଥିତ ଆପାର୍ଟମେଣ୍ଟ୍‌ରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ସମୀର ଅନେକ ସିରିଅଲ୍‌ ଯଥା- “କାହାଣୀ ଘର୍ ‌ଘର୍ କି”, “ଲେଫ୍ଟ ରାଇଟ୍‌ ଲେଫ୍ଟ”, “ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁଁ-ଏକ୍‌ବାର୍‌ ଫିର୍” ଇତ୍ୟାଦିରେ ଅଭିନୟ କରିଥିଲେ‌।

Mid-dayର ରିପୋର୍ଟ ଅନୁସାରେ, ରାତ୍ରି ଜଗୁଆଳି ପ୍ରଥମେ ସମୀରଙ୍କ ମୃତଦେହ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ୨ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୋଲିସ୍‌ ଅନୁମାନ କରୁଛି। ଘର ଭିତରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।

ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ପରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ। ସେ ‘ୟେ ରିସ୍ତେ ହେଁ ପ୍ୟାର୍‌ କେ’ ସିରିଅଲ୍‌ରେ ଅଭିନୟ କରୁଥିଲେ। ଏହି ସିରିଅଲ୍‌ରେ ସେ କୁହୁର ବାପା ଭୂମିକାରେ ଅଭିନୟ କରୁଥିଲେ।