ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଳଜୋନାରୋ । ଜାନୁଆରି ୨୪ ରୁ ୨୭ ତାରିଖ ଯାଏଁ ସେ ଭାରତ ଗସ୍ତରେ ରହିବେ। ବୋଲ୍‌ଜୋନାରୋଙ୍କ ସହ ଆସୁଛନ୍ତି ୮ଜଣ ମନ୍ତ୍ରୀ, ବ୍ରାଜିଲ୍‌ ପାର୍ଲାମେଣ୍ଟ୍‌ର ୪ଜଣ ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀମାନେ ଏବଂ ବ୍ୟାବସାୟିକ ପ୍ରତିନିଧି ଦଳ।

ଏଥରକୁ ମିଶାଇ ତୃତୀୟ ଥର ଲାଗି ବ୍ରାଜିଲୀୟ ରାଷ୍ଟ୍ରପତି ଆମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେବେ। ଶେଷଥର ଲାଗି ୨୦୦୪ରେ ବ୍ରାଜିଲ୍‌ର ରାଷ୍ଟ୍ରପତିଙ୍କୁ ଆମେ ମୁଖ୍ୟ ଅତିଥି ଭାବେ ପାଇଥିଲୁ।

୨୦୧୯ ମସିହା ଜାନୁଆରି ୧ ତାରିଖରେ କ୍ଷମତାସୀନ ହୋଇଥିବା ରାଷ୍ଟ୍ରପତି ବୋଲ୍‌ଜୋନାରୋଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦୁଇ ଥର ଭେଟି ସାରିଛନ୍ତି। ଥରେ ୨୦୧୯ ଜୁନ୍‌ ମାସରେ ଓସାକା ଠାରେ ଅନୁଷ୍ଠିତ ଜି୨୦ ବୈଠକ ବାହାରେ ଏବଂ ଆଉ ଥରେ ୨୦୧୯ ନଭେମ୍ବର ମାସରେ ବ୍ରାସିଲିଆ ଠାରେ ଅନୁଷ୍ଠିତ ‘ବ୍ରିକ୍‌ସ୍‌’ ଶିଖର ବୈଠକରେ।

ଜାନୁଆରି ୨୬ ତାରିଖ ଦିନ ରାଷ୍ଟ୍ରପତି ବୋଲ୍‌ଜୋନାରୋ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବା ସହ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ‘ଆଟ୍‌-ହୋମ୍‌’ ଭୋଜିରେ ଆପ୍ୟାୟିତ ହେବେ।

ଜାନୁଆରି ୨୭ ତାରିଖ ଦିନ ଭାରତ ଓ ବ୍ରାଜିଲ୍‌ର ‘ବ୍ୟବସାୟ ଫୋରମ୍‌’ ଆୟୋଜନ ହେବ। ସେଠାରେ ରାଷ୍ଟ୍ରପତି ବୋଲ୍‌ଜୋନାରୋ ଉଦ୍‌ବୋଧନ ଦେବେ। ସେହି ଦିନ ହିଁ ସେ ଆଗ୍ରା ଅଭିମୁଖେ ଯାଇ ସେଠାରୁ ନିଜ ଦେଶକୁ ବାହୁଡ଼ି ଯିବେ।