ବିପିସିଏଲ୍‌‌ର ବଲାଙ୍ଗିର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ

ବଲାଙ୍ଗିର  : ବଲାଙ୍ଗିର  ବରକାନିସ୍ଥିତ ବିପିସିଏଲ୍‌‌ର ଏଲ୍‌‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ଗଣେଶୀଲାଲ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସଂଗୀତା କୁମାରୀ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ସକାଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବରକାନି ଏଲ୍‌‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ତାଙ୍କର ବଲାଙ୍ଗିର ଗସ୍ତ ବାତିଲ ହୋଇଥିଲା । ସେ ଦିଲ୍ଲୀରୁ ରାୟପୁର ଯାଏ ଆସିଥିଲେ । କିନ୍ତୁ ପାଗ ଏତେ ଖରାପ ଥିଲା ଯେ, ରାୟପୁରରୁ ବଲାଙ୍ଗିର ଆସିପାରିନଥିଲେ ।

ଏହି ଏଲ୍‌‌ପିଜି ବଟଲିଂ ପ୍ଲାଣ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ଏଲ୍‌‌ପିଜି ସିଲିଣ୍ଡର ବିତରଣ କରିବ ।  ମୋଟ ୧୦୩ କୋଟି ଟଙ୍କାରେ ନିର୍ମିତ ଏହି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ୨୧ ମେ ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଥିଲା । ଏହି ପ୍ଲାଣ୍ଟ ପ୍ରକଳ୍ପର ଅବଧି ୨୪ ମାସ ଥିବା ବେଳେ ଏହା ୧୯ ମାସରେ ସମ୍ପୂର୍ଣ୍ଣ ନିର୍ମାଣ ହୋଇସାରିଛି । ଏହି ବଟଲିଂ ପ୍ଲାଣ୍ଟ ରାଜ୍ୟରେ ଦ୍ୱିତୀୟ ପ୍ଲାଣ୍ଟ୍‌‌ । ଏହାପୂର୍ବରୁ ଖୋର୍ଦ୍ଧାଠାରେ ବିପିସିଏଲ୍‌‌ର ଅନ୍ୟ ଏକ ବଟଲିଂ ପ୍ଲାଣ୍ଟ ରହିଛି । ବଲାଙ୍ଗୀରରେ ନିର୍ମିତ ବଟଲିଂ ପ୍ଲାଣ୍ଟ ବ୍ୟତୀତ ତୈଳ ବିପଣନ କମ୍ପାନୀଗୁଡ଼ିକ ଖୋର୍ଦ୍ଧା ଓ ରାୟଗଡ଼ାରେ ପ୍ରସ୍ତାବିତ ନୂତନ ପ୍ଲାଣ୍ଟ ନିର୍ମାଣ ପରେ ଓଡ଼ିଶାରେ ମୋଟ ଏଲ୍‌‌ପିଜି ବଟଲିଂ ପ୍ଲାଣ୍ଟର ସଂଖ୍ୟା ୭ରେ ପହଞ୍ଚିବ । ଏହି ୭ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା ୪.୦୬ କୋଟି ସିଲିଣ୍ଡର ହେବ ।

ଅନ୍ୟପଟେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି । ୨୦୧୪ରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ଥିବା ବେଳେ ୨୦୧୯ରେ ଏହା ୮୮.୧୦ ଲକ୍ଷରେ ପହଞ୍ଚିଛି । ଗତବର୍ଷ ରାଜ୍ୟରେ ଏଲପିଜିର ଆବଶ୍ୟକତା ୪୫୪.୩ ଟିଏମ୍‌‌ଟି ଥିବା ବେଳେ ୨୦୨୦ ସୁଦ୍ଧା ୬୧୦ ଟିଏମ୍‌‌ଟି ହେବ ବୋଲି ଆଶା କରାଯାଉଛି ।

ତୈଳ ବିପଣନ କମ୍ପାନୀଗୁଡ଼ିକ ମଧ୍ୟରେ କେବଳ ବିପିସିଏଲ୍‌‌ର ୨୧.୫୯ ଲକ୍ଷ ଉପଭୋକ୍ତା ଅଛନ୍ତି ଯେଉଁମାନେ ବାର୍ଷିକ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । ୨୦୨୦ ସୁଦ୍ଧା ଏହାର ବୃଦ୍ଧି ଘଟି ୧୦୫ ଲକ୍ଷ ସିଲିଣ୍ଡରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ବଲାଙ୍ଗୀର ରେଳ ଷ୍ଟେସନ ଠାରୁ ମାତ୍ର ୧୨ କିମି ଦୂରରେ ବିପିସିଏଲର ଏହି ଦ୍ୱିତୀୟ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ହୋଇଛି । ଏହି ପ୍ଲାଣ୍ଟ ୨୩ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବୈଦୁତିକ କାରୌସେଲ ଷ୍ଟେସନ, ୧୮୫୩ କିଲୋଲିଟର ବିଶିଷ୍ଟ ପାଣିଟାଙ୍କି ସହିତ ଆହୁରି ଅନେକ ସୁବିଧା ରହିଛି ।