କାଠଯୋଡି ବ୍ରିଜ ତଳକୁ ଡେଇଁଲେ ଯୁବକ

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। ତେବେ ବାଇକ୍ ଅଟକାଇ ସେ ହଠାତ୍ କାଠଯୋଡ଼ି ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ିଥିଲେ। ଖବର ଲେଖାଯିବା ସୁଦ୍ଧା ତାଙ୍କୁ ଠାବ କରାଯାଇପାରିନି କି ତାଙ୍କ ପରିଚୟ ବିଷୟରେ ପୁଲିସ୍ କିଛି କହିନି।

ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ ତାଙ୍କ ସ୍ତ୍ରୀ କହିଥିଲେ।

ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଖୋଜାଖୋଜି କରୁଛି। ସେହି ଯୁବକଙ୍କ ସ୍ତ୍ରୀ ଓ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍‌।  ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ।

ଅନ୍ୟପକ୍ଷରେ ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍‌ ଟିମ୍‌ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ଘଟଣାସ୍ଥଳରେ ମୃତକଙ୍କ ଶ୍ୱଶୁର ପହଞ୍ଚି ଝିଅଜ୍ୱାଇଁଙ୍କ ବିବାହ ୫ ବର୍ଷ ହେବ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ସ୍ୱୀକାର କରିଛନ୍ତି। ଝିଅ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଜ୍ୱାଇଁ ଟାଟା କମ୍ପାନୀରେ କାମ କରୁଥିଲେ ମଧ୍ୟ କ’ଣ କାମ କରୁଛନ୍ତି, ସେ ଜାଣି ନ ଥିବା କହିଛନ୍ତି।