ମହାନ୍‌ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

ପ୍ରକାଶ ପାଇବ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସଂପର୍କିତ ସଂକଳନ

ଭୁବନେଶ୍ୱର :  ଓଡ଼ିଶାର ଶେଷ ସ୍ୱାଧୀନତା ବଜାୟ ରଖିବା ପାଇଁ ଉତ୍କଳ ଜନନୀର ଯେଉଁ କେତେଜଣ ବୀର ସୁଯୋଗ୍ୟ ସନ୍ତାନ ଇଂରେଜମାନଙ୍କ ସହ ସଂଗ୍ରାମ କରିଥିଲେ ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଅନ୍ୟତମ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ତ୍ୟାଗ ଅପୂର୍ବ ସାହାସ ଓ ବୀରତ୍ୱ ସହ ତାଙ୍କର ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସରେ ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଆ ମାଟିର ଏହି ବରପୁତ୍ରଙ୍କର ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଇ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି । ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାର ଆୟୋଜିତ ଏହି ଉତ୍ସବରେ ଅତିଥିମାନେ ପ୍ରଥମେ ବରପୁତ୍ରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ବ୍ୟବସ୍ଥାରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଚିଲିକା ବିଧାୟକ  ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ବକ୍ସି ଜଗବନ୍ଧୁଙ୍କ ସାହସ, ରଣକୌଶଳ ଓ ବଳିଦାନର କାହାଣୀ ଦେଶପାଇଁ ପ୍ରେରଣା ଯୋଗାଉଛି ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦକ  ଡ. ଲେନିନ ମହାନ୍ତି ଯୋଗଦେଇ ଓଡ଼ିଶାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଘଟିତ ପାଇକ ବିଦ୍ରୋହ ଏବଂ ଦୁର୍ଦ୍ଦର୍ଷ ସଂଘର୍ଷର ଗୌରବମୟ ଐତିହ୍ୟର କାହାଣୀ ଉପସ୍ଥାପନ କରିବା ସହିତ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ପ୍ରସ୍ତାବିତ ଓଡ଼ିଶାର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ଏକ ସଂକଳନ ପ୍ରକାଶନ କାର୍ଯ୍ୟକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ୧୮୧୭ରେ ବକ୍ସିଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରି ଆମେ ସମସ୍ତେ ଜାତୀୟତା ଭାବରେ ଉଦ୍‌ବୁଦ୍ଧ ହୋଇ ତଦନୁସାରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି କହିଥିଲେ ।


ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଗବେଷକ ଡ. ନାରାୟଣ ରାଓ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ତତ୍‌କାଳୀନ ଇଂରେଜ ଶାସନରେ କମ୍ପନ ସୃଷ୍ଟି କରିଥିଲା ଓ ପରବର୍ତ୍ତୀ ସମୟରେ ପାଇକ ଓ ପ୍ରଜାମାନଙ୍କ ପାଇଁ କେତେକ ପ୍ରଶାସନିକ ସଂସ୍କାର ଅଣାଯାଇପାରିଥିଲା ବୋଲି କହିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ବକ୍ସି ଜଗବନ୍ଧୁଙ୍କ ପରି ବୀରଙ୍କ ବୀରତ୍ୱର କାହାଣୀକୁ ମନେପକାଇ ଗୌରବାନ୍ୱିତ ହୋଇ ଜୀବନଯାତ୍ରାରେ ଆଗକୁ ବଢ଼ିବାକୁ କହିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମୁ୍ୟଜିୟମ୍‌ ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ, ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ଅତିଥିମାନେ ଏଠାରେ ଯୋଗଦେଇ ଓଡ଼ିଶାର ମହାନ ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।