ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କ ଆଗରେ ହାର ମାନିଲା କରୋନା

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କ ଆଗରେ ହାର ମାନିଛି ମହାମାରୀ କରୋନା । କାରଣ ସେ ସୁସ୍ଥ ହୋଇଥିବାରୁ ତାଙ୍କୁ ଲଣ୍ଡନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସପ୍ତାହେ ହେଲାଣି ସେ ଲଣ୍ଡନର ସେଂଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଏପ୍ରିଲ ୬ରେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିବା ବେଳେ ଏପ୍ରିଲ ୯ରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏବେ ସେ ଘରେ ରହି ବିଶ୍ରାମ କରିବା ସହ କୌଣସି କାମ କରିବେ ନାହିଁ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ମାର୍ଚ୍ଚ ୨୭ରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହୋଇଥିବା କହିଥିଲେ । ଏ ନେଇ ସେ ନିଜେ ନିଜ ଟୁଇଟ ଆକାଉଂଟ ଜରିଆରେ ସୂଚନା ଦେଇଥିଲେ । ଟୁଇଟରେ, “ଗତ ୨୪ଘଂଟା ମଧ୍ୟରେ ମୁଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ନିଶ୍ଚିତ ହେବା ପାଇଁ ସ୍ୱାବ୍ ‌ ନମୁନା ପରୀକ୍ଷା କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜକୁ ସଙ୍ଗରୋଧରେ ରଖିଛି। କିନ୍ତୁ ଏହି ଭାଇରସ୍ ସହିତ ମୁକାବିଲା କରିବା ସହ ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋର କାର୍ଯ୍ୟ ନିର୍ବାହ କରିବି । ସାଥୀ ହୋଇ ଆମେ ଏହାକୁ ହରାଇବା’’ ବୋଲି କହିଥିଲେ। କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଲଣ୍ଡନର ସେଂଟ ଥୋମାସ ହସ୍ପିଟାଲରେ ଭର୍ତି କରାଯାଇଥିଲା ।