ଜେଏନୟୁ ବିବାଦ: ଧାରଣାରେ ବସିଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଜେଏନୟୁ ସପକ୍ଷରେ ବଲିଉଡ ସେଲିବ୍ରିଟିଙ୍କ ଧାରଣା । ମୁମ୍ବାଇ କାର୍ଟର ରୋଡରେ ବସିଲେ ନାମୀଦାମୀ କଳାକାର । ତ୍ରିରଙ୍ଗା ଉଡାଇଲେ ଓ ସରକାର ବିରୋଧୀ ନାରାବାଜି ବି ଦେଲେ । ଏପରି ଘଟଣା ସୋମବାର ରାତିରେ ଦେଖିବାକୁ ମିଳିଛି ।

ରବିବାର ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ କିଛି ଅଜଣା ଲୋକ ମୁଖା ପିନ୍ଧି ଆଟାକ୍ କରିଥିଲେ । ଏଥିରେ ଛାତ୍ର ପରିଷଦର ସଭାପତି ଆଇଶି ଘୋଷଙ୍କ ସମେତ ଅନେକ ଆହତ ହୋଇଥିଲେ । ତେବେ ଏହାକୁ ବିରୋଧ କରି ଏକାଠି ହୋଇଛି ସାରା ଦେଶ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର‌୍ୟ୍ୟନ୍ତ ସମସ୍ତେ ଏହାକୁ ନିନ୍ଦା କରିଥିଲେ । ଦେଶବ୍ୟାପୀ ବିଭିନ୍ନ ଜାଗାରେ ଚାଲିଛି ଆନ୍ଦୋଳନ ଓ ବିକ୍ଷୋଭ ।

ତେବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ ସେଲିବ୍ରିଟି । ସୋମବାର ରାତିରେ ମୁମ୍ବାଇର କାର୍ଟର ରୋଡରେ ଜେଏନୟୁ ଆଟାକ ବିରୋଧରେ ଏକାଠି ହୋଇଥିଲେ ଛାତ୍ରଛାତ୍ରୀ । ସେମାନଙ୍କୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ ବଲିଉଡର ନିର୍ଦ୍ଦେଶକ ଓ ଅଭିନେତ୍ରୀ । ଏମାନଙ୍କ ମଧ୍ୟରେ ଥିଲେ ବଲିଉଡ ନିର୍ଦ୍ଦେଶକ ଅନୁଭବ ସିହ୍ନା, ଅନୁରାଗ କଶ୍ୟପ ଓ ଜୋୟା ଅଖତର । ଏହାସହ ଅଭିନେତ୍ରୀ ତାପସୀ ପନ୍ନୁ, ଦିୟା ମିର୍ଜା, ସ୍ବରା ଭାସ୍କର, ଗୌହର ଖାନ, ଅମୈୟା ଦସ୍ତୁର ଓ ଅଭିନେତା ରାହୁଲ ବୋଷ, ସୌରଭ ଶୁକ୍ଲା, କୁନାଲ କମରା, ଅଲ୍ଲୀ ଫୈଜଲ ମଧ୍ୟ ସାମିଲ ହୋଇଥିଲେ ।

ଛାତ୍ରଛାତ୍ରୀଙ୍କ ସହ ନାରାବାଜି ଦେବା ସହ ସରକାରଙ୍କୁ ଏମାନେ ଟାର୍ଗେଟ କରିଥିଲେ । ଏହାସହ ପ୍ରତିବାଦ ଜଣାଇ ତ୍ରିରଙ୍ଗା ମଧ୍ୟ ଉଡାଇଥିଲେ । ସେଲିବ୍ରିଟିଙ୍କୁ ପାଖରେ ପାଇ ଖୁସି ହୋଇଥିଲେ ଆନ୍ଦୋଳନକାରୀ । ଅଧିକ ଉତ୍ସାହର ସହ ଦେଇଥିଲେ ନାରାବାଜି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ୟୁଜର୍ସ ଏହାକୁ ସମର୍ଥନ କରିଥିବାବେଳେ ଆଉ କେତେକ ସେଲିବ୍ରିଟିଙ୍କୁ ଆତଙ୍କବାଦୀ ବୋଲି କହିଥିଲେ । କମ୍ୟୁନିଷ୍ଟ ଚିନ୍ତାଧାରା ଯୋଗୁଁ ଏମାନଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏପରିକି ଟ୍ବିଟରରେ ଅନୁରାଗ ବସୁ ଆତଙ୍କବାଦୀ ବୋଲି ଟ୍ରେଣ୍ଡ ଚାଲିଛି ।

ସେପଟେ ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କ୍ରାଇମବ୍ରା଼ଞ୍ଚକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି । ଏହାସହ ଜେଏନୟୁ ପରିସରରେ ବିପୁଳ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ରବିବାର ଘଟଣାରେ ଆହତ ୩୪ ଛାତ୍ରଛାତ୍ରୀ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ପୋଲିସ ସୂଚନା ଦେଇଛି ।