ଦ୍ରୌପଦୀଙ୍କ ସ୍ୱରରେ ଶିଳ୍ପାଙ୍କ ରେଡିଓରେ ଡେବ୍ୟୁ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଖୁବ୍ଶୀଘ୍ର ରେଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ରକୁ ନିଜ ସ୍ୱର ଦେବେ ବୋଲି ଜଣାପଡ଼ିଛି । ଏହି ସୁଯୋଗ ଶିଳ୍ପାଙ୍କୁ ଢେର୍ ଖୁସି ଆଣିଦେଇଛି । କାରଣ ଦ୍ରୌପଦୀଙ୍କ ଭଳି ସୁନ୍ଦରୀ ଏବଂ ଆଇକନିକ୍ ଚରିତ୍ର ପାଇଁ ସ୍ୱର ଦେବାକୁ ତାଙ୍କୁ ସୁଯୋଗ ମିଳିଛି । ଏମିତିରେ ସେ ସର୍ବଦା ଆଧ୍ୟାତ୍ମିକତା ଦିଗକୁ ଢଳି ରହିଥାନ୍ତି । ଏହି ଅବସର ତାଙ୍କୁ ନୂଆ ଅନୁଭୂତି ଦେବ ବୋଲି ସେ କହିଛନ୍ତି । ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ମାହୋଲ୍ ଏହା । ପିଲାଦିନୁ ମା’ଙ୍କଠାରୁ ମହାଭାରତ ବିଷୟବସ୍ତୁ ଶୁଣିଥିଲେ । ଯେତେବେଳେ ସେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଘଟଣା ଶୁଣିଲେ, ଖୁବ୍ ଜୋର୍ରେ କାନ୍ଦିଉଠିଥିଲେ । ସେଇ କଅଁଳ ମନରେ କେଉଁଠି ନା କେଉଁଠି ଦ୍ରୌପଦୀଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ସମ୍ମାନ ଉଙ୍କିମାରିଥିଲା । ଆଜି ସେହି କଳ୍ପନା ସତରେ ପରିଣତ ହେବାକୁ ଯାଉଛି । ଯେଉଁ ଚରିତ୍ରକୁ ସେ ଏତେ ପସନ୍ଦ କରନ୍ତି, ଆଜି ସେହି ଚରିତ୍ର ପାଇଁ ସ୍ୱର ଦେବାକୁ ପ୍ରସ୍ତୁତ ହେଉଛନ୍ତି ।