ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଟାଲା : ୫ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ବାରିପଦା : ଜଳନିଧି ଯୋଜନାରେ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନକୁ ନେଇ ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ହୋଇଥିଲା ୧କୋଟି ୩୧ ଲକ୍ଷ ଟଙ୍କାର ବିରାଟ ଘୋଟାଲା। ୨୦୧୨-୧୩ରେ ହୋଇଥିବା ଏହି ବହୁଚର୍ଚ୍ଚିତ ଘୋଟାଲାରେ ଆଜି ରାୟ ଶୁଣାଇଛନ୍ତି ବାରିପଦା ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ (ସିଜେଏମ) ବିକାଶ ଚନ୍ଦ୍ର ଦେ। ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ସମସ୍ତ ୫ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି। ସେହିପରି ସମସ୍ତ ଅଭିଯୁକ୍ତଙ୍କୁ ୨୭ଲକ୍ଷ ଟଙ୍କା ଲେଖାଏଁ ଜରିମାନା ରାଶି ଜମା କରିବାକୁ ମଧ୍ୟ ଦଣ୍ଡ‌ାଦେଶ ହୋଇଛି। ଜରିମାନା ରାଶି ବାବଦକୁ ଆଦାୟ ଅର୍ଥ ସଂପୃକ୍ତ ଝାରପୋଖରିଆ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବାକୁ ସିଜେଏମ୍ ଆଦେଶ ଦେଇଛନ୍ତି। ତେବେ ଜରିମାନା ଅନାଦେୟ ସମସ୍ତଙ୍କୁ ଅତିରିକ୍ତ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ସିଜେଏମ। ଅଭିଯୁକ୍ତମାନେ ହେଲେ ଏହି ଘଟଣାରେ ଜଡ଼ିତ ଓରିଏଣ୍ଟାଲ୍ ମେସିନାରୀ ସପ୍ଲାୟର୍ର ଦୁଇ ପରିଚାଳକ ତଥା ସମ୍ପର୍କରେ ବାପ ପୁଅ ବଙ୍ଗାଳି ଜେନା ଓ ସୁଶାନ୍ତ ଜେନା, ତତ୍କାଳୀନ ବ୍ୟାଙ୍କ୍ ମ୍ୟାନେଜର୍ ଗିରିଜା ଶଙ୍କର ମିଶ୍ର, ତତ୍କାଳୀନ ଫିଲ୍ଡ ଅଧିକାରିଣୀ ଶତରୂପା ମହାନ୍ତି ଏବଂ ଜଣେ ଏଜେଣ୍ଟ୍ ସତ୍ୟାନନ୍ଦ ପାତ୍ର। ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ତତ୍କାଳୀନ ମ୍ୟାନେଜର୍ ସୀତାକାନ୍ତ ମହାନ୍ତିଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଇକୋନମିକ୍ ଅଫେନ୍ସ୍ ଉଇଙ୍ଗ୍(ଇଓଡବ୍ଲ୍ୟୁ) ଏହି ଘୋଟାଲାର ତଦନ୍ତ ଭାର ନେଇଥିଲା।