ଏଥର ସାତକୋଶିଆ ଗଣ୍ଡରେ ଅଧିକ ସମୟ ପର୍ଯ୍ୟଟକମାନେ କରିବେ ବୋଟିଂ

ଭୁବନେଶ୍ୱର: ଟିକରପଡା ନିକଟରେ ଥିବା ସାତକୋଶିଆ ଗଣ୍ଡରେ ଅଧିକ ସମୟ ଏଣିକି ପର୍ଯ୍ୟଟକମାନେ ବୋଟିଂ କରିବାର ଲାଭ ଉଠାଇପାରିବେ । ବଡମୂଳରୁ ଟିକରପଡା ପର୍ଯ୍ୟନ୍ତ ଲମ୍ବିଥିବା ଏହି ଗଣ୍ଡରେ ଏଥର ନିୟମିତ ବୋଟିଂ କରିପାରିବେ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଏହି ନିଷ୍ପତି ନେଇଥିବା ଜଣାପଡିଛି ।

ଏବେ ସାତକୋଶିଆ ଗଣ୍ଡରେ ଟିକରପଡ଼ା ନିକଟରେ ଏବଂ ବଡ଼ମୂଳରେ କିଛି ଅଞ୍ଚଳ‌ ମଧ୍ୟରେ ବୋଟିଂ କରିବାର ସୁବିଧା ପର୍ଯ୍ୟଟକଙ୍କୁ ମିଳୁଥିଲେ ହେଁ ଆଗକୁ ପୂରା ସାତକୋଶିଆ ଗଣ୍ଡରେ ବୋଟିଂ କରିବାର ସୁବିଧା ଉପଲବ୍ଧ ହେବ। ସାତ‌କୋଶିଆ ଗଣ୍ଡ ମହାନଦୀର ସବୁଠୁ ଅଧିକ ଗଭୀର ଅଞ୍ଚଳ ହୋଇଥିବାବେଳେ ଏଠାରେ କୁମ୍ଭୀର ଯାତାୟତ କରୁଥିବାରୁ କେବଳ ବନ ବିଭାଗର କର୍ମଚାରୀମାନେ ଏଠାରେ ବୋଟିଂ କରୁଥିଲେ। କୌଣସି ପର୍ଯ୍ୟଟକଙ୍କୁ ସାତ‌କୋଶିଆର କୋର୍‌ ଅଞ୍ଚଳକୁ ବୋଟିଂ ପାଇଁ ଛଡ଼ା ହେଉନଥିଲା। କିନ୍ତୁ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ନିଷ୍ପତି ହୋଇଛି। ଏଥିପାଇଁ ପର୍ଯ୍ୟଟକଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ବଡ଼ ବୋଟ୍‌ର ବ୍ୟବସ୍ଥା ହେବ। ଯାତ୍ରୀ ଯାତାୟତ କରିବାକୁ ଥିବା ବୋଟ୍‌ ଯେପରି କୌଣସି ପ୍ରତିକୂଳ ପରିସ୍ଥିତିରେ ବି ବୁଡ଼ିବନି ସେ ନେଇ ନିଶ୍ଚିତ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି। ଏହାସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଚୁଟକେଇରୁ ତୁଲକା ଜଳପ୍ରପାତ ମଧ୍ୟରେ ବି ଜଙ୍ଗଲ ସଫାରି କରିବାକୁ ନିଷ୍ପତି ହୋଇଛି।

ସେହିପରି ଶିମିଳିପାଳକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ଏବଂ ବିଭିନ୍ନ ଜୀବଜନ୍ତୁଙ୍କୁ ପାଖରୁ ଦେଖିପାରିବେ ସେଥିପାଇଁ ଗୁଡ଼ଗୁଡ଼ିଆରୁ ଦେବସ୍ଥଳୀ ପର୍ଯ୍ୟନ୍ତ ୨୫କିମି ଅଞ୍ଚଳରେ ଏକ ଜଙ୍ଗଲ ସଫାରି କରିବାକୁ ନିଷ୍ପତି ହୋଇଛି। ଏଥିପାଇଁ କେଉଁ କେଉଁ ପ୍ରାଣୀ ଉକ୍ତ ଅଞ୍ଚଳରେ ଛଡ଼ାଯିବ, କେଉଁ ଭଳିଆ ଗାଡ଼ିରେ ପର୍ଯ୍ୟଟକ ଯିବେ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।