ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟରୁ ସାତପଡା ଅଭିମୁଖେ ଯାଉଥିବାବେଳେ ଅଧାରେ ଅଟକିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିଁସା ନିକଟରେ ଡଙ୍ଗା ଅଟକି ରହିଥିବାବେଳେ, ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା ।
୨୦ରୁ ଊର୍ଦ୍ଧ୍ବ ବାଇକ ଓ ୭୦ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ନେଇ ଯାଉଥିବାବେଳେ, ସବୁଠାରୁ ଉଦବେଗର କଥା ହେଲା ସେଥିରେ ୩୦ ଜଣ ଯୁକ୍ତ ୨ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ରହିଥିଲେ । ସେପଟେ, ଖବର ପାଇ ଅନ୍ୟ ଏକ ଡଙ୍ଗା ପହଂଚି ଦଉଡି ସାହାଯ୍ୟରେ ଫସି ରହିଥିବା ଡଙ୍ଗାକୁ କୂଳକୁ ଅଣାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ସମସ୍ତେ ।
ଅନ୍ୟପଟେ, ଆବଶ୍ୟକ ଠାରୁ ଅଧିକ ଯାତ୍ରୀଙ୍କୁ ଡଙ୍ଗାରେ ନେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ, ନା ଲୋକେ ଚେତୁଛନ୍ତି ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ।