ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ି ୭ ମୃତ; ୫୦ ନିଖୋଜ

ମାଲଦା: ବିହାରର କଟିହାର ଅଂଚଳରେ ଗୁରୁବାର ରାତି ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣାରେ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ୫୦ରୁ ଅଧିକ ଲୋକ ଯାତ୍ରୀ ଥିଲେ । ମହାନନ୍ଦ ନଦୀର ଏକ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏହି ସମୟରେ ଡଙ୍ଗା ବୁଡି ଯାଇଥିଲା । 

ସୂତ୍ର ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ନୌକାଚାଳନା ପ୍ରତିଯୋଗିତା ଦେଖିବାକୁ ଯାଇଥିଲେ । ସେମାନେ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଡଙ୍ଗାରେ ଥିବା ଯାତ୍ରୀମାନେ ପଶ୍ଚିମବଙ୍ଗର ମାଲଦା ଠାରୁ ବିହାରର କଟିହାର ଜିଲ୍ଲା ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିଥିଲା । ଫଳରେ ସମସ୍ତ ଯାତ୍ରୀ ନଦୀରେ ବୁଡିଯାଇଥିଲେ ।

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ସ୍ଥାନୀୟ ଉଦ୍ଧାରକାରୀ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଉଦ୍ଧାରକାରୀ ଟିମ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ମାତ୍ର ଦୁର୍ଘଟଣାରେ କେତେ ଜଣ ଜୀବନ ହରାଇଛନ୍ତି ରିପୋର୍ଟ ଲେଖା ଯିବା ବେଳକୁ ପ୍ରଶାସନ ତରଫରୁ କୌଣସି ତଥ୍ୟ ଦିଆଯାଇ ନାହିଁ ।