ବ୍ରହ୍ମପୁର: ବଙ୍ଗୋପସାଗରକୁ ମାଛ ଧରିବାକୁ ଯାଇଥିବା ଦୁଇ ମୋଟର ବୋଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସମୁଦ୍ର ମଧ୍ୟରେ ପ୍ରବଳ କୁହୁଡି ଯୋଗୁଁ ଗୋପାଳପୁରର ହରିପୁର ମୁହାଣ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ବୋଟ କ୍ଷତିଗସ୍ତ ହୋଇଥିବା ବେଳେ ମାଛଧରା ଜାଲ ନଷ୍ଟ ହୋଇଛି । ସେହିପରି ୫ ଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଗୋପାଳପୁର ଅଂଚଳର କୋଡା. ଗୁରେୟାଙ୍କ ଦୁଇଟି ଡଙ୍ଗାରେ ୧୮ ଜଣ ମତ୍ସଜୀବୀ ମାଛ ଧରିବାକୁ ଯାଇଥିଲେ । ହେଲେ ସମୁଦ୍ର ମଝିରେ ଘନ କୁହୁଡ଼ି ଯୋଗୁଁ ଦୁଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା । ବୋଟରେ ବସିଥିବା ମତ୍ସ୍ୟଜୀବୀ ମାନେ ସମୁଦ୍ର ପାଣିକୁ ଡେଇଁ ପଡିବାରୁ ଚାରିରୁ ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସେହିପରି ଡଙ୍ଗାରେ ଥିବା ଜାଲ ନଷ୍ଟ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଆନୁମାନିକ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା କୁହାଯାଇଛି ।