କୋରୋନା ମୁକାବିଲା ପାଇଁ ବିଏମସିକୁ ମିଳିବ ୧ କୋଟି

ଭୁବନେଶ୍ୱର: ମହାମାରୀ କୋରୋନା ମୁକାବିଲା ନେଇ ବିଏମସିକୁ ମିଳିବ ଏକ କୋଟି ଟଙ୍କା। ରାଜ୍ୟର ସମସ୍ତ ପୌରାଂଚଳ ଗୁଡିକରେ କୋରୋନା ମୁକାବିଲା ସହ ସ୍ୱଚ୍ଛତା ଓ ପରିମଳ ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯିବ।

କୋରୋନା ଭାଇରସର ଭୟାଭହତାକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଂଚଳଗୁଡିକୁ କୋରୋନା ମୁକାବିଲା ଲାଗି ୨୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ମହାନଗର ନିଗମକୁ ମିଳିବ ସର୍ବାଧିକ ୧କୋଟି ଟଙ୍କା। କଟକ ମହାନଗର ନିଗମ ସମେତ ଅନ୍ୟ ୩ ମହାନଗର ନିଗମକୁ ମିଳିବ ୫୦ ଲକ୍ଷ ଟଙ୍କା ସହାୟତା। ସେହିପରି ରାଜ୍ୟର ସମସ୍ତ ଏନଏସି ଓ ମ୍ୟୁନିସିପାଳିଟି ଗୁଡିକୁ ୧୦ରୁ ୨୫ ଲକ୍ଷ ଟଙ୍କା ମିଳିବ। ୧୧୪ଟି ପୌରାଂଚଳରେ ଏହି ଏସହାୟତା ରାଶି ଖର୍ଚ୍ଚ ହେବ । ଏହି ସମସ୍ତ ଖର୍ଚ୍ଚର ଅଡିଟ ରାଜ୍ୟ ସହରାଂଚଳ ଉନ୍ନୟନ(ଏସୟୁଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକୁ ଦିଆଯିବ ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯିବାକୁ ଥିବା ଏହି ଅର୍ଥ କେବଳ କୋରୋନା ସଂକ୍ରମଣ ମୁକାବିଲା ଲାଗି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କୋରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଉନ୍ନତି ସ୍କିମର ଗାଇଡ଼ଲାଇନରେ ପରିବର୍ତନ ଅଣାଯାଇ ରାଜ୍ୟରେ ବିଭିନ୍ନ ପୌରାଂଚଳ, ଏନଏସି ଓ ମ୍ୟୁନିସିପାଲିଟିରେ ଉନ୍ନତି ଯୋଜନାରେ ଫଣ୍ଡ ବିନିଯୋଗ ହେବ।