କୋଭିଡ୍ ସମ୍ପର୍କିତ ମିଛ ଓ ମନଗଢା ଖବର ପ୍ରସାରଣ ପାଇଁ ସବୁଠୁ ଅଧିକ ଟିଆରପି ଥିବା ଏକ ଓଡିଆ ଟିଭି ଚ୍ୟାନେଲକୁ ନୋଟିସ ପଠାଇଲା ବିଏମସି

ଟିଭି କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଏଫଆଇଆର

ଭୁବନେଶ୍ୱର, : ମିଥ୍ୟା, ଅଯୁକ୍ତିକର ତଥା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ ଲାଗି ଏକ ଓଡିଆ ଚ୍ୟାନେଲ କୁ ନୋଟିସ୍ ପଠାଇଛି ବିଏମସି । ଏହାସହ ସଂପୃକ୍ତ ଟିଭି କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ମଧ୍ୟ ଏଫଆଇଆର ହୋଇଛି । ବିଏମସି ପକ୍ଷରୁ ଜାରି ଏକ ପ୍ରେସ ରିଲିଜ ଅନୁଯାୟୀ, ଗତ ୬ ତାରିଖରେ ସଂପୃକ୍ତ ଓଡିଆ ଟିଭି ଚ୍ୟାନେଲରେ ୨ଜଣ ବ୍ୟକ୍ତିଙ୍କ ଭାଇରାଲ ଫୋନ୍ ରେକର୍ଡିଂ ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ କରୋନା ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ୨ଜଣ ବ୍ୟକ୍ତି କଥା ହେଉଥିଲେ । ଏପରିକି ନାନା ଅଭିଯୋଗ ମଧ୍ୟ କରୁଥିଲେ । ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି ଦର୍ଶାଇଛନ୍ତି ଭୁବନେଶ୍ୱର ଉନ୍ନୟନ କମିଶନ ବା ବିଏମସି । ସଂପୃକ୍ତ ଟିଭି ଚ୍ୟାନେଲ ଜାଣିଶୁଣି ମିଛ ଖବର ପ୍ରସାରଣ କରୁଛି ବୋଲି ବିଏମସି ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛି ।

ଖବର ପ୍ରସାରଣ ହୋଇଥିଲା ଯେ, ପ୍ରତି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଯେଉଁ ଦେଡଲକ୍ଷରୁ ୨ଲକ୍ଷ ଟଙ୍କା ଦେଉଛନ୍ତି । ଏପରିକି କେତେକ ହସ୍ପିଟାଲକୁ ଦୈନିକ ୧୦୦ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବାକୁ ଟାର୍ଗେଟ୍ ଦିଆଯାଇଛି । ଆହୁରି ମଧ୍ୟ କରୋନା ପଜିଟିଭ୍ ନଥିଲେ ମଧ୍ୟ ସମ୍, କିମସ, ହାଇଟେକ୍ ଆଦି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏପରି କୁଆଡେ ବିଏମସି ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପରି ଖବରକୁ ମିଛ ବୋଲି କହିଛି ବିଏମସି ।

ମହାମାରୀ ସମୟରେ ଏଭଳି ମିଥ୍ୟା ଖବର କରୋନା ଯୋଦ୍ଧାଙ୍କୁ ହତୋତ୍ସାହିତ କରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍‌ରେ ଏଭଳି ମିଛ ଖବର ପ୍ରସାରଣ ଉପରେ କଟକଣା ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ସଂପୃକ୍ତ ଚ୍ୟାନେଲ୍ ଏଭଳି ଏକତରଫା, ଭିତ୍ତିହୀନ ଖବର ପ୍ରସାରଣ କରିଥିଲା । ଯାହାକୁ ନେଇ ତଥ୍ୟ ପ୍ରମାଣ ସହ ବିଏମ୍‌ସି ସୋସିଆଲ୍ ମିଡିଆରେ ସ୍ପଷ୍ଟୀକରଣ ରଖିଥିଲା ।
ବିଏମସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଗଷ୍ଟ ୬ ତାରିଖ ଦିନ ସଂପୃକ୍ତ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି । ଦିନକୁ ଶହେ ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି । ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଛି । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ କହିଛି ବିଏମ୍‌ସି । ତଥ୍ୟ ଓ ପ୍ରମାଣକୁ ଯାଞ୍ଚ ନକରି ସଂପୃକ୍ତ ଚ୍ୟାନେଲ୍ ଗୋଟିଏ ପରେ ଗୋଟିଏ ଖବର ପ୍ରସାରଣ କରି ଚାଲୁଥିବାରୁ ବିଏମ୍‌ସି ବାଧ୍ୟ ହୋଇ ଥାନାରେ ଫେରାଦ୍ ହୋଇଛି ।