ବି.ଏମ୍‌.ସି. କୋଭିଡ଼୍ ମନିଟରିଂ ସେଲ୍‌ର ସଫଳପୂର୍ଣ୍ଣ ଭୂମିକା

କଂଟାକ୍ଟ ଟ୍ରେସିଂ ରୁ ଆରମ୍ଭ କରି ଆରୋଗ୍ୟ ବ୍ୟକ୍ତିଙ୍କୁ ଘରେ ପହଂଚାଇବାର ଅଭିଯାନ

ଭୁବନେଶ୍ୱର: ମହାମାରୀ କରୋନା ରାଜଧାନୀର ବିଭିନ୍ନ ସ୍ଥାନକୁ ଏହାର କାୟା ବିସ୍ତାର କରିଥିଲେ ମଧ୍ୟ ଏଠାରେ ଥିବା କୋଭିଡ଼୍‌-୧୯ ସଂକ୍ରମିତଙ୍କ ଯତ୍ନ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଅନେକ ଉପକୃତ ହୋଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଥିବା କୋଭିଡ଼୍ ମନିଟରିଂ ସେଲ୍‌ର ଅକ୍ଳାନ୍ତ ପରିଶ୍ରମ ମଧ୍ୟରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ, କର୍ମଚାରୀ, ପେଶାଦାର ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ସ୍ପେସିମେନ୍ ରେଫରାଲ୍ ଫର୍ମ ବା ଏସ୍ ଆର୍ ଏଫ୍ ଠାରୁ ଆରମ୍ଭ କରି ସମ୍ପୃକ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ନେବା ସେଠାରେ ତାଙ୍କର ଆବଶ୍ୟକୀୟ ଯତ୍ନର ବ୍ୟବସ୍ଥା କରାଇବା ଏବଂ ଏହାପରେ ସୁସ୍ଥ ହୋଇଯାଇଥିବା ବ୍ୟକ୍ତିଙ୍କୁ ତାଙ୍କର ଘରେ ପହଂଚାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି କୋଭିଡ଼୍ ମନିଟରିଂ ସେଲ୍‌ର ତତ୍ୱାବଧାନରେ ହୋଇଥାଏ ।

ତେବେ ଏହି ଟିକିନିଖି ପ୍ରକ୍ରିୟା ଦେଇ ଗଲାବେଳେ ଏବଂ ତଥ୍ୟର ସମୀକ୍ଷା କରି ଅବସ୍ଥାର ଆକଳନ କରିବା ପାଇଁ ଅନେକ ସଂଖ୍ୟକ ନୋଡ଼ାଲ୍ ଅଫିସରମାନେ କଂଟାକ୍ଟ ଟ୍ରେସିଂ, ଡ଼ାଟା ଏନ୍ଟ୍ରି ଏବଂ ମ୍ୟାନେଜ୍‌ମେଂଟ, ହୋମ୍ ଆଇସୋଲେସନ୍‌, ସିପ୍ଟିଂ, ଆରୋଗ୍ୟ ବ୍ୟକ୍ତିଙ୍କ ପରିଚାଳନା ଏବଂ ୧୯୨୯ ହେଲ୍ପ ଲାଇନ୍‌ର ପରିଚାଳନା ଦାୟିତ୍ୱ ତୁଲାଇ କୋଭିଡ଼୍ ସଂକ୍ରମିତ ବ୍ୟକ୍ତିଙ୍କ ଯତ୍ନ ନେଉଛନ୍ତି ।

ଏକ ପୁଙ୍ଖାନୁପୁଂଙ୍ଖ ଯୋଜନା ଭିତିରେ ଏଠାରେ କାର୍ଯ୍ୟରତ ଟିମ୍‌ର ପ୍ରଗାଢ ଅଧ୍ୟବ୍ୟସାୟ ଏବଂ ନିଜ ନିଜ ମଧ୍ୟରେ କାର୍ଯ୍ୟଭିତିକ ସ୍ୱତନ୍ତ୍ର ସଂଯୋଜନା ରକ୍ଷାକରି ଏହି ପରିସ୍ଥିତିରେ କୋଭିଡ଼୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗୀକୃତ ଭାବେ ସେବା ଯୋଗାଇବା, ନିଜର ସାଧାରଣ କାର୍ଯ୍ୟ ନିର୍ଘଂଟ ପରେ ମଧ୍ୟ ଅଧିକା ସମୟ କାର୍ଯ୍ୟ କରି କରୋନା ସହିତ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସର ସମ୍ପୂର୍ଣ୍ଣ ଭାରକୁ କିପରି ଭାବେ ବି.ଏମ୍‌.ସି ର କୋଭିଡ଼୍ ମନିଟରିଂ ସେଲ୍ ତୁଲାଇଛନ୍ତି ତାହା ନିମ୍ନରେ ପ୍ରଦତ ହେଲା ।

କଂଟାକ୍ଟ ଟ୍ରେସିଂ ଚିହ୍ନଟ, ଆକଳନ ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରି ଆଗକୁ ସଂକ୍ରମଣ ହେବାକୁ ରୋକିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କଂଟାକ୍ଟ ଟ୍ରେସିଂ ଭାବେ ବୁଝାଯାଇଥାଏ । କୌଣସି ସଂକ୍ରମଣ କ୍ଷେତ୍ରରେ ଏହା ଚିହ୍ନ୍‌ଟ ହେବାପରେ ଜନସ୍ୱାସ୍ଥ୍ୟ ଦୃଷ୍ଟିଭଙ୍ଗୀରୁ ଆଗକୁ କିପରି ସଂକ୍ରମଣ ନହେବ ଏବଂ ଏହି ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ କଂଟାକ୍ଟ ଟ୍ରେସିଂର ଉପାଦେୟତା ଗୁରୁତ୍ୱପୂର୍ଣ୍ଣ । ତେବେ କଂଟାକ୍ଟ ଟ୍ରେସିଂରେ ଯେଉଁମାନେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରି ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ଥିତି ବାବଦରେ ତଥ୍ୟ ଯୋଗାଡ଼ କରାଯାଇଥାଏ । ପ୍ରଥମ ପର୍ଯ୍ୟାୟରେ ସଂକ୍ରମିତ ବ୍ୟକ୍ତିଙ୍କ ବାବଦରେ ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ ବା ଆଇ ସି ଏମ୍ ଆର୍ ଏବଂ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ବା ଆଇ ଡ଼ି ଏସ୍ ପି ର ୱେବ୍‌ସାଇଟ୍‌ରୁ ବି.ଏମ୍‌.ସିକୁ ଆସିଥିବା ବ୍ୟକ୍ତିଗତ ତଥ୍ୟ ଡ଼ାଉନ୍‌ଲୋଡ଼୍ କରାଯାଏ ।

ଏହାପରେ କଂଟ୍ରୋଲ୍ ରୁମ୍ ଯାହାକି ବି.ଏମ୍‌.ସିର କର୍ପୋରେସନ୍ ହଲ୍‌ରେ ଚାଲୁ ରହିଛି ସେଠାରେ ଥିବା କମ୍ୟୁନିଟି ମେଡ଼ିସିନ୍ ଏବଂ ଆୟୁଷ୍ ଡ଼ାକ୍ତରଙ୍କୁ ଦିଆଯିବା ସହିତ ଏଠାରେ ଥିବା ବି.ଏମ୍‌.ସି, ବିଡ଼ିଏ, ଭୁବନେଶ୍ୱର ସ୍ମାର୍ଟସିଟି  ଏବଂ ଏନ୍ ୟୁ ଏଚ୍ ଏମ୍ ର ପଦାଧିକାରୀ ଏବଂ କର୍ମଚାରୀମାନେ ଏହି ତଥ୍ୟକୁ ନେଇ ନିଜ ନିଜକୁ ଦିଆଯାଇଥିବା ଦାୟିତ୍ୱ ଅନୁସାରେ କାର୍ଯ୍ୟ ତୁଲାଇଥାନ୍ତି । କଂଟାକ୍ଟ ଟ୍ରେସିଂ ଟିମ୍‌ରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ୍ କଟକ, ଶହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍‌, କେରାପୁଟ ଏବଂ ଫକୀରମୋହନ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍‌, ବାଲେଶ୍ୱରରୁ ୨ ଜଣ ଲେଖାଏଁ କମ୍ୟୁନିଟି ମେଡ଼ିସିନ୍‌ ଡ଼ାକ୍ତର ଦାୟିତ୍ୱରେ ରହିଛନ୍ତି । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପ୍ରକଳ୍ପର ୭ ଜଣ ଆୟୁଷ୍ ଡ଼ାକ୍ତର ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି । କଂଟାକ୍ଟ ଟ୍ରେସିଂ ପାଇଁ ୧୨ ଗୋଟି ର‌୍ୟାପିଡ଼୍ ରେସ୍ପନ୍ସ ଟିମ୍ କ୍ଷେତ୍ର ବିଶେଷରେ କାର୍ଯ୍ୟ କରୁଛନ୍ତି, ୨ ଗୋଟି ଟିମ୍ ବି.ଏମ୍‌.ସି କୋଭିଡ଼୍ ମନିଟରିଂ ସେଲ୍‌ରେ କାର୍ଯ୍ୟ କରୁଛନ୍ତି ଏବଂ ୧ ଗୋଟି ଭୁବନେଶ୍ୱର ସ୍ମାର୍ଟ ସିଟି ରେ କାର୍ଯ୍ୟ କରୁଛନ୍ତି । ଏହାର ମୁଖ୍ୟ ଦାୟିତ୍ୱରେ ଥିବା ନୋଡ଼ାଲ୍ ଅଫିସର ବିଭିନ୍ନ ଟିମ୍ ସହିତ ସଂଯୋଜନା ରକ୍ଷା କରି କଂଟାକ୍ଟ ଟ୍ରେସିଂ ପ୍ରକ୍ରିୟାକୁ ତଦାରଖ କରିଥାନ୍ତି ଯେଉଁଥିରେ ତଥ୍ୟ ପରିଚାଳନା, ସିପ୍ଟିଂ, ହୋମ୍‌ ଆଇସୋଲେସନ୍ ଏବଂ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପରିଚାଳନା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଡ଼ାଟା ଏନ୍‌ଟ୍ରି ଏବଂ ମ୍ୟାନେଜ୍‌ମେଂଟ ଏଥିପାଇଁ ଜଣେ ନୋଡ଼ାଲ୍ ଅଫିସର ନିୟୋଜିତ ରହି ତଥ୍ୟ ପରିଚାଳନାକୁ ଆଗେଇ ନେବାରେ କଂଟାକ୍ଟ ଟ୍ରେସର୍‌ଙ୍କ ସହିତ ସଂଯୋଜନା କରି ହୋମ୍ ଆଇସୋଲେସନ୍ ପରିଚାଳନା ଏବଂ ପଜିଟିଭ୍ ବ୍ୟକ୍ତିଙ୍କୁ ସିପ୍ଟିଂ କରିବା ପାଇଁ ସମ୍ପୃକ୍ତ ନୋଡ଼ାଲ୍ଅ ଫିସରଙ୍କ ସହିତ ସଂଯୋଜନା କରିଥାନ୍ତି । ଡ଼ାଟା ଏନ୍‌ଟ୍ରି ଅଧିନରେ ଥିବା ଟିମ୍ ମାନଙ୍କ ଠାରୁ ଫର୍ମ ସଂଗହ କରାଯାଇ ବି.ଏମ୍‌.ସି ତରଫରୁ ଏହି ଏନ୍‌ଟ୍ରି ସମ୍ପୂର୍ଣ୍ଣ ହୋଇଅଛି ବୋଲି ଯଥାବିଧି ଚେଷ୍ଟା କରାଯାଇଥାଏ । ସଚେତକ୍ ଆପ୍‌ରେ ଏହି ତଥ୍ୟ ଗୁଡ଼ିକୁ ଏନ୍‌ଟ୍ରି କରିବା ପୂର୍ବରୁ ଫର୍ମରେ ଏହାର ସମ୍ପୂର୍ଣ୍ଣ ଏନ୍‌ଟ୍ରିକୁ ନିଶ୍ଚିତ କରାଯାଇଥାଏ । ଏହି ଟିମ୍ ସମ୍ପୃକ୍ତ ଜୋନାଲ୍ ଡ଼େପୁଟି କମିଶନର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ନିୟୋଜିତ ଟିମ୍‌ଙ୍କ ସହିତ ସଂଯୋଜନା ରକ୍ଷା କରି ୧ ଗୋଟି ଫର୍ମ ସମ୍ପୂର୍ଣ୍ଣ ଭାବେ ପୂରଣ ହେବାପାଇଁ ଏବଂ ପରବର୍ତୀ ପର୍ଯ୍ୟାୟରେ ୱେବ୍ ପୋର୍ଟାଲ୍‌ରେ ଏହାର ଫଲୋଅପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ କରୁଥାଏ ।

ହୋମ୍ ଆଇସୋଲେସନ୍‌ କଂଟାକ୍ଟ ଟ୍ରେସିଂ ପ୍ରକ୍ରିୟାରେ ଯେଉଁ ବ୍ୟକ୍ତିମାନେ ହୋମ୍ ଆଇସୋଲେସନ୍‌କୁ ପସନ୍ଦ କରିଛନ୍ତି ସେମାନଙ୍କୁ ଗୋଟି ଗୋଟି କରି ନିରୀକ୍ଷଣରେ ରଖିବା କାର୍ଯ୍ୟ ହୋମ୍ ଆଇସୋଲେସନ୍ ଟିମ୍ ଦ୍ୱାରା କରାଯାଇଥାଏ । ଜୋନ୍‌ ଅନୁସାରେ ହୋମ୍ ଆଇସୋଲେସନ୍‌ରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କର ବାବଦରେ ତଥ୍ୟ ଯୋଗାଡ଼ କରିବା ପାଇଁ ଜୋନାଲ୍ ଡ଼େପୁଟି କମିଶନର ମାନଙ୍କୁ ଚିହ୍ନିତ ରୋଗୀ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ସୂଚନା ଦିଆଯାଇଥାଏ । ହୋମ୍ ଆଇସୋଲେସନ୍ ଟିମ୍ ମଧ୍ୟ ର‌୍ୟାପିଡ଼୍ ରେସ୍ପନ୍ସ ଟିମ୍‌ଙ୍କ ଠାରୁ ଗୃହ ପରିଦର୍ଶନ ବିବରଣୀ ଆଣି ଆଇସୋଲେସନ୍‌ରେ ଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥାନ୍ତି । ହୋମ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ସ୍ୱତନ୍ତ୍ର ରହିବା ପାଇଁ ଘର ଏବଂ ଶୌଚାଳୟ ଇତ୍ୟାଦି ଅଛି କି ନାହିଁ ତାହା ବୁଝିଥାନ୍ତି । ର‌୍ୟାପିଡ଼୍‌ ରେସ୍ପନ୍ସ ଟିମ୍‌ଙ୍କ ଠାରୁ ହୋମ୍ ଆଇସୋଲେସନ୍ କନ୍‌ସେଂଟ୍ ଫର୍ମ ସଂଗ୍ରହ କରିଥାନ୍ତି । ଏହି ଟିମ୍ ମଧ୍ୟ ଅନ୍ୟ ଟିମ୍‌ ଯଥା-କଂଟାକ୍ଟ ଟ୍ରେସିଂ, ଫ୍ଲୋର୍ ମ୍ୟାନେଜ୍‌ମେଂଟ୍‌, ସିପ୍ଟିଂ ଏବଂ ଡ଼ାଟା ଏନ୍‌ଟ୍ରି କର୍ମୀ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ନିଜର କାର୍ଯ୍ୟ ଭାର ତୁଲାଇଥାନ୍ତି ।