ଭୁବନେଶ୍ୱରର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ । କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନୂଆଗାଁରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାସହ ଗୋଟିଏ ପରିବାରରୁ ୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଏହାପରେ ବିଏମସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ନୂଆଗାଁ ହୋମିଓପାଥି ଡିସପେନସାରିରୁ ଲକ୍ଷ୍ମୀଧର ସାହୁ ଓ ଭୁବନାନନ୍ଦ ଜେନାଙ୍କ ଘର ପର୍ଯ୍ୟନ୍ତ । ପୁଣି ଲକ୍ଷ୍ମୀଧର ସାହୁ ଓ ଭୁବନାନନ୍ଦ ଜେନାଙ୍କ ଘରରୁ ସୁଦର୍ଶନ ସାହୁ ଓ ଶଙ୍କର ସାହୁଙ୍କ ଘର । ସୁଦର୍ଶନ ସାହୁ ଓ ଶଙ୍କର ସାହୁଙ୍କ ଘର ପାଖରୁ ପୁଣି ନୂଆଗାଁ ହୋମିଓପାଥି ଡିସପେନସାରି ପର୍ଯ୍ୟନ୍ତ ପରିଧି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଏହି ଅଞ୍ଚଳ ଭିତରକୁ ବାହ୍ୟ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ସେହି ଅଞ୍ଚଳରୁ ବାହାରକୁ ଆସିବାକୁ ମନା ହୋଇଛି । ସମସ୍ତ ଲୋକେ ଘରେ ରହିବାକୁ କୁହାଯାଇଛି । ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରହିଛି ନିର୍ଦ୍ଦେଶ । ଏହି ଅଞ୍ଚଳରେ ଆବଶ୍ୟକୀୟ ସାମଗ୍ରୀ ଓ ଔଷଧ ପହଞ୍ଚାଇବାର ଦାୟିତ୍ୱ ନେବ ବିଏମସି । କିଛି ଅସୁବିଧା ହେଲେ କଣ୍ଟେନମେଣ୍ଟ ଅଞ୍ଚଳ ଲୋକେ ୧୯୨୯ ନମ୍ବରରେ କଲ କରି ଜଣାଇପାରିବେ ବୋଲି ବିଏମସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।