ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଆଜି ଗୋଟିଏ ଦିନରେ ୨୩ ଲୋକାଲ କଣ୍ଟାକ୍ଟ ମାମଲା ମିଳିବା ପରେ ସଜାଗ ହୋଇଛି ବିଏମସି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

ଏହାକୁ ଦୃଷ୍ଟିରେ ରଖି ପ୍ରାଇଭେଟ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛି ବିଏମସି । ଗାଇଡଲାଇନ୍‌ ଅନୁସାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ କାର୍ଯ୍ୟରତ ବସ୍ତି ଅଞ୍ଚଳର କର୍ମଚାରୀଙ୍କ ଡାଟାବେସ୍‌ ତିଆରି କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକାଦିକ୍ରମେ ୧୪  ଦିନ ଡ୍ୟୁଟି କରିବେ ବସ୍ତି ଅଞ୍ଚଳରେ ରହୁଥିବା ସ୍ୱାସ୍ଥ୍ୟକର୍ମୀ ।

ଏହାସହ ହସ୍ପିଟାଲ ପରିସରରେ ସେମାନଙ୍କର ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ୧୪ ଦିନ ପରେ କରୋନା ଟେଷ୍ଟ କରି ନେଗେଟିଭ୍‌ ଆସିଲେ ଦ୍ୱିତୀୟ ସିଫ୍ଟର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ । ଏହାସହ ପ୍ରତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଜଣେ ଲେଖାଁଏ ନୋଡାଲ ଅଫିସର ନିଯୁକ୍ତି କରିବାକୁ କର୍ତ୍ତୃପକ୍ଷଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି । ନୋଡାଲ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଡିଟେଲ୍ସ ବିଏମସିକୁ ଦେବା ପାଇଁ ଗାଇଡଲାଇନ୍‌ରେ ଦର୍ଶାଇଛି ବିଏମସି ।